ବିଜେପିର ମିଶନ ବଙ୍ଗାଲ । ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ୍ ଶାହା । ମମତାଙ୍କୁ ମାତ୍ ଦେବାକୁ ପୁରା ପ୍ରସ୍ତୁତ ରାଜ୍ୟ ବିଜେପି

117

କନକ ବ୍ୟୁରୋ : ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେପି ଓ କ୍ଷମତାରେ ଥିବା ଟିଏମସି ମଧ୍ୟରେ ଦେଖିବାକୁ ମିଳିଛି ରକ୍ତର ରାଜନୀତି । ଏହାକୁ ନଜରରେ ରଖି ପ୍ରତିମାସରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଏନଡିଏ ସରକାରରେ ଗୃହମନ୍ତ୍ରୀ ଥିବା ଅମିତ୍ ଶାହା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବୋଲି ଜଣାପଡିଛି । ଏନେଇ କିଛି ବିଧିବଧ ସୂଚନା ମିଳିନଥିଲେ ବି ଏଭଳି ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ମାନେ ।

ଏହି କ୍ରମରେ ଆସନ୍ତା ଜାନୁଆରୀ ୧୨ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ପୁଣି ଯିବେ ଅମିତ୍ ଶାହା । ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ଜୟନ୍ତୀ ଥିବାରୁ ଶାହା ସେଠାରେ ପହଂଚି ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସଂପର୍କରେ ଦଳ ମଧ୍ୟରେ ବିସ୍ତୁତ କାର୍ଯ୍ୟସୂଚୀର ଘୋଷଣା ମଧ୍ୟ କରିପାରନ୍ତି ! । କହିରଖୁ କି ଏନେଇ ହାୱାଡା ନିକଟରେ ଥିବା ଷ୍ଟାଡିୟମରେ ଏକ ଜନସଭାର ଆୟୋଜନ କରାଯିବ । ଯଦିଓ ଏନେଇ ଔପଚାରିକ ଭାବେ ଘୋଷଣା କରାଯାଇ ନାହିଁ ତଥାପି ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏଭଳି ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଥାଉକି ଶାହା ଗତ ଶୁକ୍ରବାର ରାତିରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିଲେ ।ଏହି ଗସ୍ତ ସମୟରେ ସେ ରୋଡ ସୋ ଓ ବିଭିନ୍ନ ସ୍ଥାନରେ ଜନସଭାକୁ ଉଦବୋଧନ ଦେଇଥିଲେ । ତାଙ୍କ ଜନସଭା ବେଳେ ତୃଣମୂଳ କଂଗ୍ରେସର ଅନେକ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ଦିଦିଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଗସ୍ତ ଶେଷରେ ଶ୍ରୀ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି ଟିଏମସି ଓ ବାମପନ୍ଥୀ ଦଳ ମାନଙ୍କ ଉପରେ ବର୍ଷିବା ସହ ସେ କେବେ ବି ଏତେ ଲୋକଗହଳି ଭିତରେ ରାଲି କରିନଥିବା କଥା କହିଥିଲେ ।