ଶାହାଙ୍କ ଜମ୍ମୁ-କାଶ୍ମୀର ଗସ୍ତର ଦ୍ୱିତୀୟ ଦିନ । ଜମ୍ମୁ-କାଶ୍ମୀରବାସୀଙ୍କୁ ଦେଲେ ଅଭୟ ବାଣୀ, କହିଲେ ଏମିତି କଥା

122

କନକ ବ୍ୟୁରୋ : ଗତକାଲିଠାରୁ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି । ଏହି ଗସ୍ତର ଦ୍ୱିତୀୟ ଦିନରେ ଆଜି ଶାହା ବିଭିନ୍ନ ଉନ୍ନତିମୂଳକ ଯୋଜନାର ଶୀଳାନ୍ୟାସ କରିଛନ୍ତି । ଏହି କ୍ରମରେ ଜନସଭାକୁ ଉଦବୋଧନ ଦେଇ ଗୃହମନ୍ତ୍ରୀ କହିଛନ୍ତି କି ଜମ୍ମୁ-କାଶ୍ମୀର ଲୋକଙ୍କ ସହ ହେଉଥିବା ଅନ୍ୟାୟର ସମୟ ସରିଯାଇଛି । ଏବେ କେହି ବି ଆପଣଙ୍କ ଉପରେ ଅନ୍ୟାୟ କରିପାରିବେ ନାହିଁ । ଏବେ ଜମ୍ମୁ-କାଶ୍ମୀରର ବିକାଶ ହେବ ଓ ଏହି ରାଜ୍ୟ ଦେଶକୁ ଆଗକୁ ବଢାଇବାରେ ସହାୟକ ହେବ ।

ଏହାସହ ଗୃହମନ୍ତ୍ରୀ କହିଛନ୍ତି କି ୨୦୧୯ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ନିଷ୍ପତ୍ତି ନେଇ ଅନୁଛେନ ୩୭୦ ଓ ୩୫ (କ) ସମାପ୍ତ କରିଥିଲେ । ଏହା ଫଳରେ ଜମ୍ମୁ-କାଶ୍ମୀରର ଲକ୍ଷ ଲକ୍ଷ ଲୋକ ତାଙ୍କର ଅଧିକାର ଫେରି ପାଇଛନ୍ତି । ଏବେ ଭାରତୀୟ ସମ୍ବିଧାନର ସମସ୍ତ ଅଧିକାର ଏଠିକାର ଲୋକ ପାଇବାର ହକଦାର ହୋଇପାରିଛନ୍ତି ।

ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଶାହା କହିଛନ୍ତି କି ପ୍ରଥମେ ଜମ୍ମୁ-କାଶ୍ମୀରେ ମାତ୍ର ୪ ଟି ମେଡିକାଲ କଲେଜ ଥିଲା । ଏବେ ମୋଦୀ ସରକାର ଏଠାରେ ୭ ଟି ମେଡିକାଲ କଲେଜ ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଏଠାରେ ପାଖା ପାଖି ୨୦୦୦ ଛାତ୍ର ଏମବିବିଏସ୍ କରିପାରିବେ ବୋଲି ଶାହା କହିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ଶାହାଙ୍କ ଗସ୍ତର ଶେଷଦିନ ହୋଇଥିବା ବେଳେ କାଲି ସେ ଏସକେଆଇସିସିର ସିଭିଲ ସୋସାଇଟ ଡେଲିଗେସନ ସହିତ ଭେଟ କରିବେ । ଅନ୍ୟପଟେ କାଲି ଯବାନମାନଙ୍କ ସହ ବି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୬ ତାରଖରେ ଶାହା ପୁଣି ଦିଲ୍ଲୀ ଫେରିବେ ବୋଲି ସୂଚନା ମିଳିଛି ।