ଆସନ୍ତା ୨୯ ଓ ୩ରେ ଓଡିଶା ଆସିବେ ଅମିତ ଶାହା ! ସେପଟେ ରାହୁଲଙ୍କୁ ରାଜ୍ୟ ବିଜେପି ପ୍ରଭାରୀଙ୍କ କଟାକ୍ଷ, କହିଲେ ମିଛୁଆ ଦଳର ସିଇଓ ।

215

କନକ ବ୍ୟୁରୋ : ବିଜେପି ଫୋକସରେ ଓଡିଶା । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଦଳଗୁଡିକ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଉଛି । ବିଶେଷ କରି ଓଡିଶା ରାଜନୀତିରେ କେନ୍ଦ୍ରୀୟ ନେତାଙ୍କ ଭୂମିକା ବଢୁଛି । ଗତ କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଥର ଓଡିଶା ଗସ୍ତରେ ଆସି ସାରିଛନ୍ତି । ଆଉ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତି ଶାହାଙ୍କ ପାଳି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତ ୧୮ ତାରିଖରେ ଶାହାଙ୍କ ଓଡିଶା ଗସ୍ତ ବାତିଲ ହୋଇଥିବା ବେଳେ ତାହା ପରବର୍ତ୍ତୀ ସମୟରେ ଜାନୁଆରୀ ୨୯ ତାରିଖରେ ଧାର୍ଯ୍ୟ ହୋଇଥିଲା । ତେବେ ୨୯ରେ ଶାହା ଓଡିଶା ଆସିବେ । ଏବଂ ଏହା ପରେ ପରେ ଫେବୃୟାରୀ ୩ ତାରିଖରେ ମଧ୍ୟ ଶାହାଙ୍କ ଓଡିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅରୁଣ ସିଂହ । ସେ କହିଛନ୍ତି, ରାହୁଲ ହେଉଛନ୍ତି ମିଛୁଆ ଦଳର ସିଇଓ । ତାଙ୍କ ଗସ୍ତ ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେବେ ୨୦୧୯ ନିର୍ବାଚନକୁ ଆଉ ମାସ କେଇଟା ରହିଥିବା ବେଳେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ ରାଜ୍ୟ ରାଜନୀତିରେ କେତେ ପ୍ରଭାବ ପକାଇବ ତାକୁ ନେଇ ଏବେଠୁ ବିତର୍କ ଆରମ୍ଭ ହୋଇଗଲାଣି । ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଗୁଡିକ ମଧ୍ୟ ରାଜନୈତିକ ଅଙ୍କକଷା ଆରମ୍ଭ କରିଦେଇଛନ୍ତି ।