କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନାଗରିକତା ଆଇନ ସପକ୍ଷରେ ରାଜସ୍ଥାନର ଯୋଧପୁରରେ ସାଧାରଣ ସଭା କରିଛନ୍ତି । ଆଉ ଏହି ସଭାରୁ ବିରୋଧୀ ଦଳ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ଶାହା । ଏସପି, ବିଏସପି, କେଜ୍ରିୱାଲ ଆଣ୍ଡ କମ୍ପାନି, କଂଗ୍ରେସ ସିଏଏକୁ ନେଇ ଲୋକଙ୍କୁ ଯେତେ ଭ୍ରମିତ କରିବାକୁ ଚାହୁଁଛନ୍ତି କରନ୍ତୁ କିନ୍ତୁ ବିଜେପି ଏହି ଆଇନ ପାଇଁ ଗୋଟିଏ ଇଞ୍ଚ ବି ପଛକୁ ହଟିବ ନାହିଁ ।
ଏହାସହ ଶାହା କହିଛନ୍ତି, ସମସ୍ତ ବିରୋଧୀ ନାଗରିକତା ଆଇନକୁ ବିରୋଧ କରୁଛନ୍ତି କିନ୍ତୁ ସମସ୍ତଙ୍କୁ ଚ୍ୟାଲେଞ୍ଜ ଦେଉଛି ଏହି ଆଇନରେ କେଉଁଠି ଅଳ୍ପସଂଖ୍ୟକଙ୍କୁ କ୍ଷତି ପହଞ୍ଚାବାକୁ ଉଦ୍ୟମ କରାଯାଉଛି ତାହା ପ୍ରମାଣିତ କରନ୍ତୁ ବିରୋଧୀ । ଏହାସହ ରାହୁଲଙ୍କୁ ଲକ୍ଷ୍ୟ କରି କହିଛନ୍ତି, ଯଦି ନାଗରିକତା ଆଇନ ବାବଦରେ ପଢିଛ ତେବେ ଆଲୋଚନା ପାଇଁ ଆଗକୁ ଆସ । ଯଦି ନ ପଢିଉ ତେବେ ଇଟାଲୀ ଭାଷାରେ ଏହାକୁ ଅନୁବାଦ କରି ପଠାଇବା ପାଇଁ ପ୍ରସ୍ତୁତ ଅଛି ।
ଏପରିକି ନାଗରିକତା ଆଇନକୁ ନେଇ ଯଦି ସବୁ ଦଳ ଏକାଠି ହୋଇଯାଆନ୍ତି ତେବେ ମଧ୍ୟ ବିଜେପି ଏଥିରୁ ଗୋଟିଏ ଇଞ୍ଚ ପଛକୁ ହଟିବ ନାହିଁ । ଏହାଛଡା ଜନସଭାରେ ଏକ ନମ୍ବରରେ ମିସକଲ କରି ସିଏଏକୁ ସମର୍ଥନ କରିବାକୁ ଲୋକଙ୍କୁ କହିଛନ୍ତି । ଏହାଛଡା ଶାହା କହିଛନ୍ତି, ଯେଉଁମାନେ ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି ସେହି ଦଳ ଗୁଡିକ ସିଏଏକୁ ବିରୋଧ କରୁଛନ୍ତି । ଲୋକଙ୍କୁ ବିରୋଧୀ ଭମ୍ରିତ କରୁଥିବାରୁ ବିଜେପି ଏଭଳି ଜନସର୍ମ୍ପକ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ଲୋକଙ୍କୁ ସିଏଏ ବାବଦରେ କହିବେ ବିଜେପିର ନେତୃବୃନ୍ଦ ।
ଶରଣାର୍ଥୀଙ୍କ ପାଇଁ ଅଚ୍ଛେଦିନ ଆସିଥିବା କହିଛନ୍ତି ଶାହା । କାରଣ ଏବେ ଶରଣାର୍ଥୀ ମାନେ ଦେଶରେ ନାଗରିକ ହୋଇସାରିଛନ୍ତି । ଏହି ଆଇନ ନାଗରିକତା ଦେବା ପାଇଁ ଆସିଛି କିନ୍ତୁ ବିରୋଧୀ ଏହାକୁ ନାଗରିକତା ଛଡାଇ ନେବା ପାଇଁ ବିଜେପି ସରକାର ଆଣିଛନ୍ତି ବୋଲି ଅଭିଯୋଗ ଆଣି ଆସୁଛନ୍ତି ।