ପଶ୍ଚିମବଙ୍ଗ ଉପରେ ଅମିତ ଶାହଙ୍କ ଆଖି । ନିର୍ବାଚନକୁ ୬ମାସ ବାକି, ଏବେଠୁ ପ୍ରସ୍ତୁତି କଲାଣି ବିଜେପିର ଶୀର୍ଷ ନେତୃତ୍ୱ । ମମତାଙ୍କ ଗଡରେ ବାଜିମାତ କରିବାକୁ ଅମିତ ଶାହଙ୍କ ଜୋରଦାର ପ୍ରୟାସ

126

କନକ ବ୍ୟୁରୋ : ଟାର୍ଗେଟ ପଶ୍ଚିମବଙ୍ଗରେ ମୋଦୀ ସରକାରଙ୍କ ଚାଣକ୍ୟ ଅମିତ ଶାହ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଉ ୬ମାସ ବାକି ଅଛି । କିନ୍ତୁ ବିଜେପିର ଶୀର୍ଷ ନେତୃତ୍ୱ ଏବେଠାରୁ ଗଡ ଜିତିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏବେ ଠାରୁ ନିର୍ବାଚନୀ ବିଗୁଲ ବଜାଇ ସାରିଛନ୍ତି ଅମିତ ଶାହ । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଅମିତ ଶାହ ପ୍ରଥମ ଦିନରେ ହିଁ ୨ଶହରୁ ଅଧିକ ଆସନ ଜିତିବା ନେଇ ଦୃଢୋକ୍ତି ବାଢିଛନ୍ତି । ତେବେ ଦ୍ୱିତୀୟ ଦିନରେ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ଦିନ ଆରମ୍ଭ କରିଛନ୍ତି ଶାହ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଟାର୍ଗେଟ କରି ଶାହ କହିଛନ୍ତି ଯେ, ରାଜ୍ୟରେ ତୁଷ୍ଟିକରଣ ରାଜନୀତି ହେଉଛି ।

ପଶ୍ଚିମବଙ୍ଗ ନିର୍ବାଚନରେ ବିଶେଷ ଗୁରୁତ୍ୱ ରଖନ୍ତି ମତୁଆ ସମ୍ପ୍ରଦାୟ । ଅନୁସୂଚିତ ଜାତିର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସମ୍ପ୍ରଦାୟକୁ ମଧ୍ୟ ଗୁରୁତ୍ୱ ଦେଉଛି ବିଜେପି । କାରଣ ରାଜ୍ୟରେ ମତୁଆ ସମ୍ପ୍ରଦାୟର ପ୍ରାୟ ୭୨ଲକ୍ଷ ଲୋକ ଅଛନ୍ତି । ଏବଂ ୧୦ଟି ବିଧାନସଭା ଆସନରେ ତାଙ୍କର ପ୍ରଭାବ ରହିଛି । ମତୁଆ ସମ୍ପ୍ରଦାୟର ଲୋକେ ପାକିସ୍ତାନରୁ ଆସିଥିଲେ ଏବଂ ନାଗରିକତା ସଂଶୋଧନ ଆଇନ ଜରିଆରେ ସେମାନେ ଭାରତର ନାଗରିକତା ଚାହୁଁଛନ୍ତି । ଏବଂ ସିଏଏ ଲାଗୁ ହେବାରେ ବିଳମ୍ବ ହେଉଥିବା ନେଇ ସେମାନେ ଅଭିଯୋଗ ମଧ୍ୟ କରିଥିଲେ । ଏବେ ଶାହ ତାଙ୍କ ସହ ମଧ୍ରାହ୍ନ ଭୋଜନ କରି ତାଙ୍କର ନିକଟତର ହେବାକୁ ପ୍ରୟାସ କରିଥିବା କୁହାଯାଉଛି । ପଶ୍ଚିମବଙ୍ଗରେ ଶାହା ନେଉଥିବା ଗୋଟିଏ ଗୋଟିଏ ପଦକ୍ଷେପ ମମତାଙ୍କ ଉପରେ ଭାରି ପଡିବା ନେଇ ଜୋର ଧରିଛି ଚର୍ଚ୍ଚା ।

ବଙ୍ଗୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଶହରା ସମୟରେ ମଧ୍ୟ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, ଯାହା ତାଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ବାତିଲ କରାଯାଇଥିଲା । ଏବେ ମମତାଙ୍କ ଗଡକୁ ଗସ୍ତ କରି ଲୋକଙ୍କ ଭାବନା ସହିତ ଜଡିତ ହେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି ବିଜେପି । ଅପରପକ୍ଷରେ ହିନ୍ଦି ଭାଷାର ପାର୍ଟି ବା ବାହାରୁ ଆସୁଥିବା ଲୋକଙ୍କ ଦଳ ଭାବେ ବ୍ୟବହାର କରାନଯାଉ ଏହାକୁ ନଜରରେ ରଖି ଏବେଠାରୁ ଜୋର ଲଗାଇ ଦେଲାଣି ବିଜେପି ।