କନକ ବ୍ୟୁରୋ : ସୋରଡାରେ ଅମିତ ଶାହାଙ୍କ ଜୋରଦାର ପ୍ରଚାର । ଜନସଭା ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରିଛନ୍ତି ଶାହା । ଏହାସହ ନବୀନ ସରକାର ପୁଣିଥରେ ଆସିବନି ବୋଲି କହି ବିଜେପି କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ଶାହା । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ଆଦିବାସୀ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ପୂରା ଓଡ଼ିଶାକୁ ଗର୍ବିତ କରିଛନ୍ତି । ଜି-୨୦ ସମ୍ମିଳନୀରେ ମୋଦୀ ଯେଉଁଠି ବିଶ୍ୱର ନେତାଙ୍କୁ ସ୍ୱାଗତ କରୁଥିଲେ ସେଠାରେ କୋଣାର୍କର ସୂର୍ଯ୍ୟମନ୍ଦିରର ଫଟୋ ରଖି ପୂରା ବିଶ୍ୱରେ ଓଡ଼ିଶାକୁ ପ୍ରସିଦ୍ଧ କରିବାର କାମ ମୋଦୀ କରିଛନ୍ତି । ପାଇକ ବିଦ୍ରୋହ ସ୍ମୃତିରେ ଡାକଟିକେଟ ଓ ମୁଦ୍ରା ପ୍ରଚଳନ ପ୍ରଧାନମନ୍ତ୍ରୀ ମୋଦୀ କରିଛନ୍ତି । ଓଡ଼ିଶାର ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ଅନେକ କାମ କରିଛନ୍ତି । ଏହି ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ ଅନେକ କାମ କରିଛନ୍ତି ।

Advertisment

ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ବିଜେପି ସରକାର କରିଛି । ୭୦ ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ କଂଗ୍ରେସ ଅଟକାଇ ରଖିଥିଲା । କିନ୍ତୁ ଦେଶ ମୋଦୀଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ବାଛିବା ପରେ ରାମମନ୍ଦିରର ନିର୍ମାଣ ହୋଇଥିଲା । ପୂରା ଦେଶ ରାମ ମନ୍ଦିର ଉତ୍ସବ ପାଳୁଥିବା ବେଳେ ନବୀନ ସରକାର ଓଡ଼ିଶାର ଲୋକଙ୍କୁ ବିଭିନ୍ନ ଉପାୟରେ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଉତ୍ସବକୁ ଯିଏ ଅଟକାଇଛି ତାଙ୍କୁ ଓଡ଼ିଶାର ଲୋକ କ୍ଷମା ଦେବେନି ବୋଲି କହି ନବୀନ ସରକାରକୁ ବାଣ ମାରିଛନ୍ତି ଶାହା ।

କେବଳ କଂଗ୍ରେସ ଉପରେ ମଧ୍ୟ ବର୍ଷିବା ସହ ଶାହା କହିଛନ୍ତି, ସୋନିଆ-ମନମୋହନ ସରକାର ଥିବା ବେଳେ ପାକିସ୍ତାନରୁ ଆସି ଲୋକ ବିସ୍ଫୋରଣ କରି ଚାଲି ଯାଉଥିଲେ । କିନ୍ତୁ ପୁଲୱାମା ଓ ଉରୀରେ ଆକ୍ରମଣ ପରେ ନରେନ୍ଦ୍ର ମୋଦୀ ୧୦ ଦିନ ମଧ୍ୟରେ ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ କରି ପାକିସ୍ତାନକୁ ତା ଘର ଭିତରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

ଦେଶର ଗରିବ ଲୋକଙ୍କୁ ମୋଦୀ ସରକାର ଚାଉଳ ପଠାଉଛନ୍ତି । କିନ୍ତୁ ମୋଦୀ ସରକାର ପଠାଉଥିବା ଚାଉଳକୁ ଗୋଟିଏ ବ୍ୟାଗରେ ପୂରାଇ ଷ୍ଟିକର ମାରି ନିଜେ ଚାଉଳ ବାଣ୍ଟୁଥିବା କହୁଛନ୍ତି ନବୀନ ବାବୁ  । ଯଦି ବ୍ୟାଗ ଦେଉଛ ତାହା ହେଲେ ସେଥିରେ ଆଉ ଅଢେଇ କିଲୋ ଚାଉଳ ପଠାଇଲେ ସେଥିରେ ଗରିବ ଲୋକ ଉପକୃତ ହେବେ ବୋଲି କହିଛନ୍ତି ଶାହା । କିନ୍ତୁ ଏଭଳି ନକରି ମିଛରେ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି ନବୀନ ବାବୁ ।  ତେବେ ଚିନ୍ତା କରିବାର ନାହିଁ, ନବୀନ ବାବୁ ଆଉ ପୁଣିଥରେ ସରକାରକୁ ଆସିବେନି । ଓଡ଼ିଶାର ଲୋକ ତାଙ୍କୁ ଟାଟା ବାଏ ବାଏ କରିଦେବେ । ଏବେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନରେନ୍ଦ୍ର ମୋଦୀ ସରକାର ୧୨ କୋଟି ପରିବାର ପାଇଁ ଶୌଚାଳୟ ଦେଇଛନ୍ତି, ଗରିବଙ୍କ ପାଇଁ କାମ କରୁଛନ୍ତି କିନ୍ତୁ ଓଡ଼ିଶାର ଗରିବ ଲୋକଙ୍କୁ ଏହା ମିଳୁନାହିଁ । ମୋଦୀ ସରକାର ଆଣିଥିବା ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କରୁନାହାନ୍ତି । କିନ୍ତୁ ଜୁନ୍ ୧ ତାରିଖରେ ନବୀନ ସରକାର ଯିବ, ପଦ୍ମ ଫୁଲ ଫୁଟିବ । ୧ ଜୁନରୁ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ, ଗରିବ ଲୋକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇବେ । ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ଚିକିତ୍ସା ମିଳିବ ।

ଓଡ଼ିଶାରେ ବିଜେପି ସରକାରରେ ଚାଷୀଙ୍କୁ ଧାନ କିଣା ବାବଦକୁ ୩୧୦୦ ଟଙ୍କା ମିଳିବ । ବିଜେପି ସରକାର ଆସିଲେ ପ୍ରତିଟି ଘରକୁ ନଳରେ ଜଳ ମିଳିବ । ପରିକ୍ରମା ପ୍ରକଳ୍ପ ନାଁରେ ମଠ ମନ୍ଦିର ଭାଙ୍ଗିଛନ୍ତି, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲୁନାହାନ୍ତି, ଭକ୍ତ ମାନେ ହଇରାଣରେ ପଡୁଛନ୍ତି । କିନ୍ତୁ ବିଜେପି ସରକାର ଆସିଲେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବ । ଜଗନ୍ନାଥଙ୍କ ମୂର୍ତ୍ତିକୁ ଅପମାନିତ କରାଯାଉଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଅଛି? ଡୁପ୍ଲିକେଟ ଚାବି କାହିଁକି ହେଲା? ଡୁପ୍ଲିକେଟ ଚାବି କିଏ ଖୋଲୁଥିଲା କି? ଏହାର ଯାଞ୍ଚ ରିପୋର୍ଟ କଣ ହେଲା?ନବୀନ ସରକାର ଏହି ମାମଲାରେ କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚାରି ନବୀନ ସରକାରକୁ ଅଡୁଆରେ ପକାଇଛନ୍ତି ଶାହା । କେବଳ ଏତିକି ନୁହେଁ ବିଜେପି ସରକାରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଯାଞ୍ଚ ରିପୋର୍ଟ ୬ ଦିନ ମଧ୍ୟରେ ସାବର୍ଜନୀନ କରିବୁ ବୋଲି କହିଛନ୍ତି ଶାହା ।

ନବୀନ ବାବୁଙ୍କୁ ଓଡ଼ିଶାବାସୀ ବାଛିଛନ୍ତି, କିନ୍ତୁ ଏଠାରେ ବାବୁଙ୍କ ହାତରେ ରାଜ ରହିଛି । ଯଦି ବାବୁଙ୍କ ହାତରେ ରାଜ ଦେବାର ଥିଲା ତେବେ ଓଡ଼ିଆ ବାବୁଙ୍କ ହାତରେ ନଦେଇ ବାହାର ବାବୁଙ୍କ ହାତରେ କାହିଁକି ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶାହା ।  ମହାନ୍ ଓଡ଼ିଆ ଭାଷା, ସଂସ୍କୃତିକୁ ନଷ୍ଟ କରାଯାଉଛି । କିନ୍ତୁ ବିଜେପି ସରକାରରେ ଓଡ଼ିଆ ଭାଷାକୁ ଆଗାମୀ ୧୦୦୦ ବର୍ଷର ଆୟୁଷ ଦେବା ଭଳି କାମ କରିବ ।

ୱାନ୍ ନେସନ ୱାନ୍ ରାସନ କାର୍ଡ ଲାଗୁ କରୁନାହାନ୍ତି ନବୀନ । କିନ୍ତୁ ବିଜେପି ସରକାର ଆସିଲେ ୧ ତାରିଖରୁ ୱାନ୍ ନେସନ ୱାନ୍ ରାସନ ଲାଗୁ କରିବୁ । ନବୀନ ବାବୁଙ୍କୁ ୨୪ ବର୍ଷ ସୁଯୋଗ ଦେଇଛନ୍ତି, ବିଜେପିକୁ ମାତ୍ର ୫ ବର୍ଷ ସୁଯୋଗ ଦିଅନ୍ତୁ ଦେଖିବେ ଓଡ଼ିଶାର କୌଣସି ଲୋକଙ୍କୁ ବାହାରକୁ କାମ ପାଇଁ ଯିବାକୁ ପଡିବନି । ଗଞ୍ଜାମ ହେଉଛନ୍ତି ନବୀନଙ୍କ ନିର୍ବାଚନମଣ୍ଡଳୀ । କିନ୍ତୁ ଗଞ୍ଜାମକୁ କାହିଁକି ଗୋଟିଏ ବି ଫ୍ୟାକ୍ଟ୍ରି ଆସିନି ? ଶୀତଳଭଣ୍ଡାରଟିଏ ମଧ୍ୟ ଏଠାରେ ଖୋଲିପାରିଲେନି । ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବୁ । ପ୍ରଧାନମନ୍ତ୍ରୀ ମୋଦୀ ୧୦ ବର୍ଷରେ ଓଡ଼ିଶାକୁ ୬ ଲକ୍ଷ ୩୧ ହଜାର କୋଟି ଟଙ୍କା ଦେଇଛନ୍ତି । ଆଗକୁ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବ ମୋଦୀ ସରକାର ।  ଚିଟଫଣ୍ଡରେ ଗରିବଙ୍କ ଟଙ୍କା ଖାଇଥିବା ଲୋକଙ୍କୁ ୧୮ ମାସରେ ସାବାଡ କରିବୁ । ଚାଷୀଙ୍କ ଧାନକୁ ୩୧୦୦ ଟଙ୍କାରେ କିଣିବୁ ଏବଂ ୪୮ ଘଣ୍ଟାରେ ଆକାଉଣ୍ଟକୁ ଟଙ୍କା ପଠାଇବୁ । ଓଡ଼ିଶାର ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବୁ । ଆସ୍କାରେ ଟେକ୍ସଟାଇଲ ପାର୍କ କରିବୁ । ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରା କରିବୁ । ରାଉରକେଲା, ସମ୍ବଲପୁର, ପାରାଦ୍ୱୀପରେ ଭୁବନେଶ୍ୱରରେ ଇଣ୍ଡଷ୍ଟ୍ରିଆଲ କରିଡର କରିବୁ ।  ୨୫ ବର୍ଷ ଓଡ଼ିଶାରେ ବିକାଶ ହୋଇନି । କିନ୍ତୁ ଓଡ଼ିଶାରେ ଡବଲ ପଦ୍ମ ଫୁଟାଇଲେ ଲକ୍ଷ୍ମୀ ଆସିବା ସହ ଓଡ଼ିଶାକୁ ସମୃଦ୍ଧ କରିବୁ ବୋଲି କହିଛନ୍ତି ଅମିତ ଶାହା ।