ବାତ୍ୟା ମୁକାବିଲା ନେଇ ସାବାସୀ ଦେଲେ ଶାହା । ଏସସିଓ ଭଳି ଅର୍ନ୍ତଜାତୀୟ ମଞ୍ଚରେ ଓଡ଼ିଶାର ବାତ୍ୟା ମୁକାବିଲା ଏବଂ କ୍ଷୟକ୍ଷତି ନିୟନ୍ତ୍ରଣକୁ ପ୍ରଶଂସା କଲେ ଗୃହମନ୍ତ୍ରୀ

574

କନକ ବ୍ୟୁରୋ : ଅନେକ ଥର ଝଡ ଆସିଛି ଆଉ ଓଡିଶାର ପିଠିରେ ମାଡ କରି ଫେରି ଯାଇଛି । ଝଡ ମାଡରେ କ୍ଷତାକ୍ତ ହୋଇ ବି, ସଫଳ ମୁକାବିଲା କରି ସାରା ବିଶ୍ୱରେ ଓଡିଶା ପ୍ରଶଂସା ସାଉଁଟିଛି । ପୂର୍ବରୁ ଚାରି ଚାରିଟି ବାତ୍ୟାର ସଫଳ ମୁକାବିଲା କରିଥିବା ରାଜ୍ୟ ସରକାର ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ବି ସାମ୍ନା କରିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ପାଇଁ ସଂପୂର୍ଣ୍ଣ ତତ୍ପରତା ପ୍ରକାଶ କରିଛି ସରକାରୀ କଳ ।

ଏସବୁ ଭିତରେ ବାତ୍ୟାର ଆଶଙ୍କା ଟଳୁଥିବା ବେଳେ ସେପଟେ ଗୃହମନ୍ତ୍ରୀ ଅମିତ ଶାହା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଓଡିଶା ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି । ଶାହା କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସହ ଲଢିବାରେ ଓଡିଶା ଉଦାହରଣ ସୃଷ୍ଟି କରିଛି । ଫୋନି ଭଳି ଏକ ବଡ ବାତ୍ୟାରେ ୬୪ ଜଣଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଦିଲ୍ଲୀରେ ଅନୁଷ୍ଠିତ ସାଙ୍ଘାଇ କୋ-ଅପରେସନ୍ ଅର୍ଗାନାଇଜେସନ୍ ଅନ୍ତର୍ଗତ ସମସ୍ତ ଦେଶର ପ୍ରତିନିଧିଙ୍କ ବୈଠକରେ ଏହି ବୟାନ ଦେଇଛନ୍ତି ଶାହା ।

ବାତ୍ୟା ମୁବାକିଲାରେ ସାରା ବିଶ୍ୱରେ ଏକ ଉଦାହରଣ ପାଲଟିଥିବା ଓଡ଼ିଶା, ଏବେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ପାଇଁ ସଂପୂର୍ଣ୍ଣ ତତ୍ପର । ବାତ୍ୟାର ଗତିପଥ ଏବଂ ରୂପରେଖ ଉପରେ ନଜର ରଖାଯାଇଥିବା ବେଳେ ସରକାରୀ କଳ ସାମଗ୍ରିକ ଭାବରେ ପ୍ରସ୍ତୁତ ରହିଛି ।
– ସମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି
– ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଆଗୁଆ ପରାମର୍ଶ ଦିଆଯାଇଛି
– ବାତ୍ୟା ଭଳି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବାରୁ ବିଚଳିତ ନହେବାକୁ ପରାମର୍ଶ ଦିଆଯାଇଛି

ବର୍ତମାନ ଓଡ଼ିଶା, ଫସଲ ଅମଳ ସମୟ ଦେଇ ଗତି କରୁଥିବାରୁ ଚାଷୀଙ୍କୁ ତତ୍ପର ରହିବାକୁ କୃଷୀ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯେଉଁଥିରେ ଚାଷୀଙ୍କୁ କୁହାଯାଇଛି-
– ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ
– ଫସଲ ଅମଳ ହୋଇନଥିଲେ ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ
– ବର୍ଷା ପରେ ରୋଗ ପୋକ ଦାଉରୁ ଫସଲକୁ ରକ୍ଷା ପାଇଁ ସରକାର ପଦକ୍ଷେପ ନେବେ

ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସାମଗ୍ରୀ ଉବଲବ୍ଧ କରାଇବା ଅନେକ ସମୟରେ ସମସ୍ୟା ହେଉଥିବାରୁ କଳାବାଜରୀ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ପିଆଜ ଏବଂ ଆଳୁ ଭଳି ସାମଗ୍ରୀ କେମିତି ଲୋକ ଠିକ୍ ଦାମରେ ପାଇପାରିବେ ସେ ଦିଗରେ ସରକାର ଚିନ୍ତା କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ତେବେ ପ୍ରାରମ୍ଭିକ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମୁହାଁ ହେଉଛି । ତେଣୁ ବାତ୍ୟାକୁ ନେଇ ବିଚଳିତ ନହେବାକୁ ସରକାରୀ କଳ ପକ୍ଷରୁ କୁହାଯାଇଛି ।