ଆସ୍କାରୁ ଅମିତ ଶାହାଙ୍କ ଦମ୍ଭୋକ୍ତି । କହିଲେ, ଜୁନ ୧ରେ ଓଡ଼ିଶାରେ ଫୁଟିବ ପଦ୍ମ । ରାଜ୍ୟ ସରକାରଙ୍କୁ ବାଏ ବାଏ କରିବେ ଓଡ଼ିଶାବାସୀ ।

239

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପ୍ରଚାରକୁ ଆହୁରି ଜୋରଦାର କରିଛି ବିଜେପି । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅମିତ ଶାହା । ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଆସ୍କା ସଂସଦୀୟ କ୍ଷେତ୍ରରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସୋରଡ଼ାରେ ଆୟୋଜିତ ବିଶାଳ ଜନସଭାରେ ଅମିତ ଶାହା ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ବିଜେପି କ୍ଷମତାକୁ ଆସିଲେ କ’ଣ କରିବ, ତା’ର ହିସାବ ଦେଇଛନ୍ତି । କହିଛନ୍ତି ଜୁନ ୧ରେ ରାଜ୍ୟ ସରକାରଙ୍କୁ ବାଏ ବାଏ କରିବେ ଓଡ଼ିଶାବାସୀ ।

  • ଅମିତ ଶାହାଙ୍କ ଦମ୍ଭୋକ୍ତି
  • ଜୁନ ୧ରେ ଓଡ଼ିଶାରେ ଫୁଟିବ ପଦ୍ମ

ଓଡ଼ିଶାର ସବୁ ବଡ଼ ବଡ଼ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଅମିତ ଶାହା । ନବୀନଙ୍କ ନାଁ ନେଇ ରାଜ୍ୟ ସରକାର ଚାଷୀ ଓ ଗରିବଙ୍କ କଣ କରିଛନ୍ତି ବୋଲି ସେ ପଚାରିଛନ୍ତି । ଏଥିସହିତ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ସହ ଚାବି କେମିତି ହଜିଲା ବୋଲି ପ୍ରଶ୍ନ କରିଛନ୍ତି ଶାହା ।

  • ବିଜେପି ସରକାର ଗଢ଼ିଲେ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର
  • ୬ ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ତଦନ୍ତ ରିପୋର୍ଟ
  • ଓଡ଼ିଶାରେ ଲାଗୁହେବ ‘ଆୟୁଷ୍ମାନ ଭାରତ ଯୋଜନା’
  • ବିଜେପି କ୍ଷମତାକୁ ଆସିଲେ ଓଡ଼ିଶା ହେବ ୧ ନମ୍ବର
  • ଦୂର ହେବ ଦାଦନ ସମସ୍ୟା
  • ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ସଂମୃଦ୍ଧ କରିବ ବିଜେପି

ସୋରଡ଼ା ନିର୍ବାଚନୀ ସଭାରେ ରାଜ୍ୟ ସରକାରରଙ୍କ ବିରୋଧରେ ରଣହୁଙ୍କାର ଦେଇ ପ୍ରତିଶ୍ରୁତିର ବର୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତକୁ ସମାଲୋଚନା କରିଛନ୍ତି ଭିକେ ପାଣ୍ଡିଆନ ।

ସୂଚନାଯୋଗ୍ୟ ଯେ, ପ୍ରଥମ ନିର୍ବାଚନୀ ସଭାରେ ଅମିତ ଶାହା ଆକ୍ରମଣତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ପରେ ବିଜେପି ବଡ଼ ଲଢ଼େଇ ପାଇଁ ଆଗକୁ ଆସିଥିଲା । ଆଜି ଏହି ଆଭିମୁଖ୍ୟକୁ ଆହୁରି ଶାଣିତ କରିଛନ୍ତି ଶାହା । ନିର୍ବାଚନ ଯେତିକି ଆଗକୁ ବଢୁଛି, ବିଜେପି-ବିଜେଡି ମଧ୍ୟରେ ଟକ୍କର ସେତିକି ତୀବ୍ର ହେବାରେ ଲାଗିଛି । ମାଳ ମାଳ ପ୍ରତିଶ୍ରୁତି ସହ ପରସ୍ପରକୁ କଡ଼ା ସମାଲୋଚନା କରୁଛନ୍ତି ଉଭୟ ଦଳ ।