ସରିଗଲା ବିଜେପିର ଭୀଷ୍ମ ପିତାମହଙ୍କ ଯୁଗ ! ଆଡଭାନୀଙ୍କ ବଦଳରେ ଶାହାଙ୍କୁ ମିଳିଲା ଟିକେଟ, ଶେଷ ହେଲା ଲୌହ ପୁରୁଷଙ୍କ ରାଜନୈତିକ ଜୀବନ ।

730

କନକ ବ୍ୟୁରୋ : ବିଜେପି ପ୍ରାର୍ଥୀ ତାଲିକାରୁ ବାଦ ପଡିଛନ୍ତି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି । ଆଡଭାନି ନିର୍ବାଚନ ଲଢୁଥିବା ଗାନ୍ଧିନଗର ଲୋକସଭା ଆସନରୁ ଏଥର ନିର୍ବାଚନ ଲଢିବେ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ତେବେ ପୂର୍ବରୁ ଲାଲକୃଷ୍ଣ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ୯୧ ବର୍ଷୀୟ ଏଲ.କେ ଆଡଭାନି ଗାନ୍ଧିନଗର ଲୋକସଭା ଆସନରୁ ୬ ଥର ବିଜୟୀ ହୋଇ ସଂସଦକୁ ଯାଇଛନ୍ତି । ୧୯୮୦ ଓ ୯୦ ଦଶକରେ ଦେଶରେ ବିଜେପିର ପ୍ରଚାର ପ୍ରସାର କରିଥିଲେ ଏବଂ ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିଜେପିର ଏହି ବରିଷ୍ଠ ନେତା ।

ସରିଲା ଆଡଭାନୀଙ୍କ ଯୁଗ । ଦଳର ପିତାମହଙ୍କୁ  ମିଳିଲାନି ଟିକେଟ୍ । ଗୁଜୁରାଟର ଗାନ୍ଧିନଗର ଲୋକସଭା ଆସନରୁ ଲାଲକୃଷ୍ଣ ଆଡଭାନୀଙ୍କୁ  ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଲା ନାହିଁ । ଏହା ସହ ଶେଷ ହୋଇଯାଇଛି ଦଳର ଏହି ସର୍ବ ବରିଷ୍ଠ ନେତାଙ୍କ ରାଜନୈତିକ ଜୀବନ । ଗତ ୩୦ ବର୍ଷରେ ପ୍ରଥମ ଥର ପାଇଁ ଦଳ ଆଡଭାନୀଙ୍କ ବିନା ନିର୍ବାଚନ ଲଢୁଛି । ଏହି ବରିଷ୍ଠ ନେତାଙ୍କ ବିନା ଦଳ ନିର୍ବାଚନକୁ ଆସିବା ପୀଢୀ ପରିବର୍ତନ ସଙ୍କେତ ବୋଲି କୁହାଯାଉଛି ।

ନିର୍ମଳ ରାଜନୀତି ଉପରେ ବିଶ୍ୱାସ ରଖୁଥିବା ଲାଲକୃଷ୍ଣ ଆଡଭାନୀ, ବିବାଦୀୟ ଜୈନ ଡାୟରୀରେ ତାଙ୍କ ନାଁ ଆସିବାରୁ ସେ ୧୯୯୬ରେ ଗାନ୍ଧିନଗର ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ । ଏହା ପରେ ୧୯୯୮ରେ କ୍ଲିନ ଚିଟ୍ ମିଳିବା ପରେ ସେ ପୁଣି ନିର୍ବାଚନ ଲଢିଥିଲେ । ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ଏହି ଆସନରୁ ସାଂସଦ ଭାବେ ନିର୍ବାଚନ ଜିତିଥିଲେ । ଏବେ ଆଡଭାନୀଙ୍କ ଏହି ଗାନ୍ଧିନଗର ଆସନରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଲଢିବେ ।

ମାତ୍ର ୧୪ ବର୍ଷ ବୟସରେ ଆରଏସଏସରେ ସାମିଲ ହୋଇଥିଲେ ଆଡଭାନୀ । ପରେ ଜନସଂଘ ସ୍ଥାପନ ହେବା ପରେ ସଂଘ ତାଙ୍କ ଏହି ରାଜନୈତିକ ଦଳକୁ ପଠାଇଥିଲା । ଶ୍ୟାମ ସୁନ୍ଦର ଭଣ୍ଡାରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ରାଜନୀତିକୁ ଆସିଥିଲା ଯୁବକ ଲାଲକୃଷ୍ଣ କେବେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୧୯୫୭ରେ ତାଙ୍କୁ ସଂସଦୀୟ ରାଜନୀତିର ଦାୟିତ୍ୱ ମିଳିବା ପରେ ସେ କେନ୍ଦ୍ରୀୟ ରାଜନୀତିର ମୁଖ୍ୟ ସ୍ତମ୍ଭ ପାଳଟିଗଲେ । ୧୯୮୦ରେ ବିଜେପି ସ୍ଥାପନ ହେବା ପରେ ୧୯୮୬ରେ ସେ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଦାୟିତ୍ୱ ନେଇ ଦଳର ଦ୍ୱିତୀୟ ସଭାପତି ହୋଇଥିଲେ । ୧୯୭୦ରୁ ସଂସଦୀୟ ରାଜନୀତିରେ ସଂପୃକ୍ତ ଥିଲା ଲାଲକୃଷ୍ଣ ଆଡଭାନୀ ୪ଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ତାଙ୍କୁ ଟିକେଟ ନ ମିଳିବା ପରେ ଏହି ବର୍ଷିଆନ ନେତାଙ୍କ ରାଜନୈତିକ ଜୀବନରେ ପଡିଛି ପୂର୍ଣ୍ଣଛେଦ ।