କନକ ବ୍ୟୁରୋ : ରାମନବମୀରେ ବିହାରରେ ହୋଇଥିବା ହିଂସା ଥମିବାର ନାଁ ନେଉନାହିଁ । ଶନିବାର ରାତିରେ ପୁଣି ବିହାରର ଶରିଫ ଓ ସାସାରାମରେ ଉତ୍ତେଜନା ଦେଖିବାକୁ ମିଳିଛି । ଏପରିକି ଶରିଫର ପହାଡପୁର ଅଞ୍ଚଳରେ ଶନିବାର ୧୨ ରାଉଣ୍ଡ ଗୁଳି ମଧ୍ୟ ଚାଲିଛି । ସେହିଭଳି ସାସାରାମ ଅଞ୍ଚଳରେ ଏକ ଧାର୍ମିକ ସ୍ଥଳ ନିକଟରେ ବୋମାମାଡ ହୋଇଛି । ରାଜ୍ୟରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ବିହାରର ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି । ଆଉ ବିହାରର ଦେଖାଦେଇଥିବା ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଠାରେ ଅର୍ଦ୍ଧସୈନିକ ବଳ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଅର୍ଦ୍ଧସୈନିକ ବଳର କିଛି ୟୁନିଟ୍ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ମୁତୟନ କରାଯାଇଥିବା ବେଳେ ଆଉ କିଛି ୟୁନିଟ୍ ଆଜି ବିହାରରେ ପହଞ୍ଚିବେ । ଯାହାଦ୍ୱାରା ରାଜ୍ୟରେ ସ୍ଥିତିରେ ସୁଧାର ଆସିପାରିବ । ବିହାର ହିଂସାକାଣ୍ଡ ଘଟଣାରେ ଏବେ ପର୍ଯ୍ୟନ୍ତ ୧୦୬ ଲୋକ ଗିରଫ ହୋଇଥିବା ବେଳେ ଜଣେ ଲୋକ ପ୍ରାଣ ହରାଇଛନ୍ତି ।
ଶନିବାର ସାସାରାମ ହୋଇଥିବା ବୋମାମାଡରେ ୬ ଜଣ ଲୋକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉକ୍ତ ଅଞ୍ଚଳରେ ଏବେ ପୋଲିସ ପଇଁତରା ମାରୁଛି । ଏସବୁ ଭିତରେ ଆଜି ବିହାରର ନବାଦା ଜିଲ୍ଲାର ହିସୁଆ ଅଞ୍ଚଳରେ ରାଲିକୁ ସମ୍ବୋଧିତ କରିବେ ଅମିତ ଶାହା । କେନ୍ଦ୍ର ଗୃହମନ୍ତ୍ରୀ ଏବେ ପାଟନାରେ ଥିବା ବେଳେ ରାଜ୍ୟ ବିଜେପି ନେତାଙ୍କୁ ଭେଟିଛନ୍ତି । ସେହିଭଳି ଅମିତ ଶାହାଙ୍କ କିଛି କାର୍ଯ୍ୟକ୍ରମକୁ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/union-home-minister-amit-shah.jpg)