ଓଡିଶାକୁ ବିଜେପିର ଅଭେଦ୍ୟ ଗଡ କରିବାର ଆବଶ୍ୟକତା ରହିଛି । ଓଡିଶାରେ ବିଜେପିକୁ ୨୦୧୯ ନିର୍ବାଚନରେ ୮ଟି ଲୋକସଭା ସିଟ ମିଳିଛି । ହେଲେ ମୋ ସମୟରେ ଏହି କାର୍ଯ୍ୟ ଅଧୁରା ରହିଯାଇଛି । ଯାହାକୁ ଏବେକାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ସମୟରେ ପୁରା କରିବାକୁ ପଡିବ । କିଛି ଏଭଳି ଢଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧାନ ଦେଇ ନିଜ ଅଭିଭାଷଣ ଶେଷ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା ।
ଭର୍ଚୁଆଲ ରାଲି ଜରିଆରେ ଯେତେବେଳେ ଶାହା ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ଗତ କିଛି ବର୍ଷର ହିସାବ ସହ କିଭଳି ମୋଦି ସରକାର ରାଜ୍ୟ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି, ତାର ହିସାବ ଦେବାକୁ ପଛାଇ ନଥିଲେ ବିଜେପିର ଏହି ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ହିସାବ କିତାବ ଭିତରେ ସାମିଲ ଥିଲା ବିଜେପିର ଭୋଟ ବ୍ୟାଙ୍କ କଥା ଆଉ ରାଜ୍ୟରେ ବିଜେପିର ପ୍ରଦର୍ଶନର ତମାମ ତଥ୍ୟ ।
୨୦୧୯ ନିର୍ବାଚନରେ ବିଜେପି ୮ଟି ସଂସଦୀୟ କ୍ଷେତ୍ରରେ କରିଥିଲା ବାଜିମାତ । ୨୦୧୪ ତୁଳନାରେ ଏହା ଥିଲା ଢେର ଅଧିକ । ୭ଟି ଅଧିକ ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇ ଦିଲ୍ଲୀ ଦରବାରକୁ ପଠାଇଥିଲା ଓଡିଶା । ଆଉ ୩୮ ପ୍ରତିଶତ ଭୋଟ ସହ ଯେଉଁ ମୁଳଦୁଆ ଏଠି ପଡିଛି ତାକୁ ଆଉ ପାଦେ ଆଗେଇ ନେବାକୁ ଆହ୍ୱାନ ଦିଆଯାଇଛି ଦିଲ୍ଲୀ ବିଜେପି ମୁଖ୍ୟାଳୟରୁ ।
ସେହିଭଳି ଶ୍ରମିକଙ୍କ କଥା ଆଉ ଲକଡାଉନ ସମୟରେ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ସହାୟତା ବାବଦରେ ଉଲ୍ଲେଖ କରିବା ସହ କେନ୍ଦ୍ର ଓ ରାଜ୍ୟ କିଭଳି ମିଳିତ ଭାବେ କାର୍ଯ୍ୟ କରିଛନ୍ତି, ତାକୁ ମଧ୍ୟ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକଙ୍କୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦି ସରକାର କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଭର୍ଚୁଆଲ ର୍ୟାଲିରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ମୋଦି ସରକାର ବଚନବଦ୍ଧ ଅଛନ୍ତି । ଭାଜପା ଦ୍ୱାରା ହିଁ ଓଡ଼ିଶା ଓ ଦେଶକୁ ବିକଶିତ କରିହେବ । ଏଥିପାଇଁ ଓଡ଼ିଶାକୁ ଭାଜପାର ଗଡ଼ କରିବାକୁ ହେବ ।
ସେ କହିଛନ୍ତି ଯେ ପୂର୍ବର କଂଗ୍ରେସ ସରକାର ଅମଳରେ ଓଡ଼ିଶାକୁ ନିୟମିତ ଭାବେ ଅବହେଳା କରାଯାଉଥିଲା । ୧୩ଶ ଅର୍ଥ ଆୟୋଗ ମାଧ୍ୟମରେ କଂଗ୍ରେସ ସରକାର ଓଡ଼ିଶାକୁ ମାତ୍ର ୭୯୪୮୬ କୋଟି ଟଙ୍କା ଦେଇଥିଲେ । କିନ୍ତୁ ମୋଦି ସରକାର ଆସିବା ପରେ ଓଡ଼ିଶାକୁ ଗତ ୫ ବର୍ଷରେ ଓଡ଼ିଶାକୁ ପ୍ରାୟ ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ଏହା ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସରକାରଙ୍କୁ ଦୁଃଖ ଦେଇଛି । କିନ୍ତୁ ସେମାନଙ୍କ ସୁରକ୍ଷା ସରକାରଙ୍କୁ ଅଧିକ ଚିନ୍ତିତ କରିଥିଲା । ତେବେ ସୁଖର କଥା ହେଉଛି, କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଭଲ କାମ କରିଛନ୍ତି ।
ଅନ୍ୟପକ୍ଷରେ ଶାହା କହିଛନ୍ତି ଯେ ସରକାରଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ ଦ୍ୱାରା ଓଡ଼ିଶାର କୃଷକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନେ ଉପକୃତ ହେବେ । କୃଷିଜାତ ସାମଗ୍ରୀର ଏମଏସପି ବୃଦ୍ଧି ଯୋଗୁଁ ଓଡ଼ିଶାର କୃଷକ ବିଶେଷ ଭାବେ ଉପକୃତ ହେବେ । କାରଣ ଓଡ଼ିଶାର ମୋଟ କୃଷି ଉତ୍ପାଦନର ୭୦ ପ୍ରତିଶତ ଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/EZ_NshhXQAIUR7Q.png)