କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କିଛିଦିନ ତଳେ ପୁଲୱାମା ଆକ୍ରମଣ ସମେତ ଅନ୍ୟ କିଛି ପ୍ରସଙ୍ଗରେ ଚକିତ କରିଦେବା ଭଳି ବୟାନ ଦେଇଥିଲେ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିରୋଧୀଦଳ ଗୁଡିକ ସତ୍ୟପାଲ ମଲ୍ଲିକଙ୍କ ବୟାନକୁ ଆଧାର କରି ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସେପଟେ ସତ୍ୟପାଲ ମଲ୍ଲିକଙ୍କ ବୟାନ ପରେ ତାଙ୍କୁ ସିବିଆଇରୁ ସମନ ମିଳିବା ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ବୟାନ ରଖିଛନ୍ତି ।

Advertisment

ଗୃହମନ୍ତ୍ରୀ ଅମିତ୍ ଶାହା ସତ୍ୟପାଲ ମଲ୍ଲିକଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ଯଦି ସତ୍ୟପାଲ ମଲ୍ଲିକଙ୍କ ବୟାନରେ ସତ୍ୟତା ରହିଛି ତେବେ ସେ ରାଜ୍ୟପାଳ ଥିବା ବେଳେ କାହିଁକି ଚୁପ୍ ରହିଥିଲେ । ସେ ରାଜ୍ୟପାଳ ଥିବା ବେଳେ ଏହି ପ୍ରସଙ୍ଗ ଲୋକଲୋଚନକୁ ଆଣିବାର ଥିଲା । ସେପଟେ ସତ୍ୟପାଲ ମଲ୍ଲିକ ଦେଇଥିବା ବୟାନ ଉପରେ ସାର୍ବଜନିକ ଚର୍ଚ୍ଚା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଗୃହମନ୍ତ୍ରୀ କହିଛନ୍ତି କି, ଦେଶର ଜନତାଙ୍କୁ ଏହା ଜରୁରୀ କହିବାର ଆବଶ୍ୟକତା ରହିଛି କି, ବିଜେପି ସରକାର ଏଭଳି କିଛି କରିନାହିଁ ଯାହାକୁ ଲୁଚାଇବାକୁ ପଡିବ । ଏହାସହ ବିଜେପି ଛାଡି ଯିବା ପରେ ଯଦି କେହି ବିଜେପି କିମ୍ବା ସରକାରଙ୍କ ବିରୋଧରେ କହୁଛି ତେବେ ତାହାର ମୂଲ୍ୟାଙ୍କନ ଗଣମାଧ୍ୟମ ଓ ଦେଶର ଜନତାଙ୍କୁ କରିବାର ଆବଶ୍ୟକତା ରହିଛି । ଯେତେବେଳେ ଆପଣ ପଦ ପଦବୀରେ ନାହାଁନ୍ତି ସେତେବେଳେ ଆପଣଙ୍କ ଅଭିଯୋଗର ମୂଲ୍ୟ ଓ ମୂଲ୍ୟାଙ୍କନ ଦୁଇଟି ଯାକ ତଳକୁ ଖସିଯାଇଥାଏ ବୋଲି ସେ କହିଛନ୍ତି ।