ଆଦାନୀ ପ୍ରସଙ୍ଗ ଉପରେ ବୟାନ ରଖିଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ, ଦୋଷ ସାବ୍ୟସ୍ତ ହେଲେ କାହାରିକୁ ମିଳିବନି କ୍ଷମା

124

କନକ ବ୍ୟୁରୋ : ଥମୁନି ଆଦାନୀ ହିଣ୍ଡେନବର୍ଗ ପ୍ରସଙ୍ଗ । ଏହି ମାମଲାରେ ସେବି ଯାଞ୍ଚ କରୁଥିବାବେଳେ ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ନିଜର ବୟାନ ରଖିଛନ୍ତି । ସୁପ୍ରିମକୋର୍ଟ ଆଦାନୀ ହିଣ୍ଡେନବର୍ଗ ମାମଲାର ଯାଞ୍ଚ ପାଇଁ ୬ ଜଣ ସଦସ୍ୟ ବିଶିଷ୍ଟ କମିଟି ତିଆରି କରିଛନ୍ତି । ଏହି କମିଟିରେ ଦୁଇ ଅବସରପ୍ରାପ୍ତ ଜଜ୍ ମଧ୍ୟ ରହିଛନ୍ତି । ଯେଉଁ ଲୋକଙ୍କ ପାଖରେ ଏହି ମାମଲା ସମ୍ପୃକ୍ତ କିଛି ପ୍ରମାଣ ଅଛି , ସେମାନେ ଏହି କମିଟିକୁ ସେ ସବୁ ପ୍ରମାଣ ଦେଇଦେବା ଉଚିତ ବୋଲି ଅମିତ ଶାହା କହିଛନ୍ତି । ଯଦି କିଛି ଭୁଲ ହୋଇଥାଏ ତେବେ କାହାକୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି । ଶୁକ୍ରବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ସମସ୍ତଙ୍କୁ ଅଦାଲତ ଉପରେ ଭରସା ରଖିବା ଉଚିତ । ସୁପ୍ରିମକୋର୍ଟର କମିଟି ସହ ସେବି ମଧ୍ୟ ଏହି ମାମଲାରେ ଯାଞ୍ଚ ଜାରି ରଖିଛି । ଏହା ସହ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି , ଲୋକେ ଭିତିହୀନ ଅଭିଯୋଗ ଲଗାଇବା ଉଚିତ ନୁହେଁ କାରଣ ଏହା ଯାଞ୍ଚ ସମୟରେ ତିଷ୍ଠି ରହିପାରିବ ନାହିଁ ।