ଲୋକସଭାରେ ଜମ୍ମୁ-କାଶ୍ମୀରକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ । କହିଲେ ଧାରା ୩୭୦ ପାଇଁ ଯାଇଛି ୪୫ ହଜାର ଲୋକଙ୍କ ଜୀବନ

122

କନକ ବ୍ୟୁରୋ : ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଜମ୍ମୁ-କାଶ୍ମୀରୁ ଧାରା ୩୭୦ ହଟିବା କିଛି ଲୋକଙ୍କୁ ଝଟକା ଦେଇଛି । ଜମ୍ମୁ-କାଶ୍ମୀର ସଂରକ୍ଷଣ ସଂଶୋଧନ ଅଧିନିୟମ ୨୦୨୩ ଓ ଜମ୍ମୁ-କାଶ୍ମୀର ପୁନଃଗଠନ ସଂଶୋଧନ ବିଧେୟକ ୨୦୨୩ , ୧୭ ବର୍ଷ ଧରି ଯାହା ଉପରେ ଅନ୍ୟାୟ ହେଉଥିଲା ସେମାନଙ୍କୁ ନ୍ୟାୟ ଦେବା ପାଇଁ ମୋଦୀ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ସେମାନଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ଅମିତ୍ ଶାହା କହିଛନ୍ତି ।

ଅମିତ ଶାହା କହିଛନ୍ତି କି ପୂରା ଦେଶରେ ଜମ୍ମୁ-କାଶ୍ମୀର ଏକ ଏଭଳି ରାଜ୍ୟ ଯେଉଁଠି ବିଜେପି ସରକାର ୨ଟି ଏମ୍ସ ଓ ଦୁଇଟି ଆଇଆଇଟି ସ୍ଥାପନା କରିଛି । ଏହାସହ ଅନେକ ମେଡିକାଲ ଓ ଟେକ୍ନିକାଲ କଲେଜ ମଧ୍ୟ ଖୋଲାଯାଇଛି ।

ସଂସଦକୁ ସମ୍ବୋଧିତ କରି ଗୃହମନ୍ତ୍ରୀ କହିଛନ୍ତି ଯେ କାଶ୍ମୀରରେ ଜାରି ରହିଥିବା ଆତଙ୍କବାଦ କାରଣରୁ ଘାଟିରେ ୪୬ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ହେଲେ ଏହି ବିଧେୟକ ସେମାନଙ୍କୁ ଅଧିକାର ଦେବା ପାଇଁ ଓ ପ୍ରତିନିଧିତ୍ୱ ଦେବା ପାଇଁ ।

ଜାମ୍ମୁ-କାଶ୍ମୀର ସଂରକ୍ଷିତ ଅଧିନିୟମକୁ ନେଇ ଶାହା କହିଛନ୍ତି କି, ଜମ୍ମୁ-କାଶ୍ମୀର ବିଧାନସଭାରେ ଏକ ଆସନ ପିଓକେରୁ ବିସ୍ଥାପିତ ହୋଇ ଭାରତ ଆସିଥିବା ଲୋକଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ସଦସ୍ୟଙ୍କୁ ଉପ ରାଜ୍ୟପାଳ ମନୋନୀତ କରିବେ ।

ସେପଟେ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି କି, ଲୋକମାନେ କହୁଥିଲେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିଲେ ରାଜ୍ୟରେ ରକ୍ତର ନଦୀ ବୋହିବ । ହେଲେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ରକ୍ତର ନଦୀ ବୋହିବା ଦୂରର କଥା ପଥର ଫିଙ୍ଗିବାକୁ ବି କେହି ସାହାସ କରିନାହାଁନ୍ତି ।