ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା । କାଶ୍ମୀର ପ୍ରସଙ୍ଗରେ ଆଲୋଚନା ।

144

କନକ ବ୍ୟୁରୋ : କାଶ୍ମୀରରେ ଘାଟି ବାହାରର ଲୋକମାନଙ୍କ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏ ପ୍ରସଙ୍ଗରେ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିଛନ୍ତି ।

ଏହି ଆଲୋଚନା ବେଳେ କେନ୍ଦ୍ର ଶାସିତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଆତଙ୍କର ବାତାବରଣ ଓ ପ୍ରବାସୀମାନଙ୍କ ପଳାୟନ ସମ୍ପର୍କରେ ଶାହା ମୋଦୀଙ୍କୁ ଅବଗତ କରିଛନ୍ତି । ଏହି ପ୍ରସଙ୍ଗ ବ୍ୟତୀତ ଦେଶର ଅନ୍ୟ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି ।

ଗତ ୧୬ ଦିନରେ କଶ୍ମୀର ଘାଟିରେ ୧୧ ଜଣ ବାହାର ଲୋକ ( ଜମ୍ମୁ ଓ କଶ୍ମୀର ବାହାରର ବାସିନ୍ଦା)ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଏହାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି ଓ ସେମାନେ ଘାଟି ଛାଡ଼ି ପଳାଇଯାଉଛନ୍ତି । ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଆସନ୍ତା ୨୩ରୁ କଶ୍ମୀର ଗସ୍ତରେ ଯାଉଛନ୍ତି । ଧାରା ୩୭୦ ପ୍ରତ୍ୟାହାର ପରେ ଏହା ହେଉଛି ଶାହାଙ୍କ ପ୍ରଥମ କଶ୍ମୀର ଗସ୍ତ ।