ଆଜି କେନ୍ଦ୍ରମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ: ବୀରଭୁମରେ ରବୀନ୍ଦ୍ର ନାଥ ଟେଗୋରଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି; ଶାନ୍ତି ନିକେତନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ହେଲେ ସାମିଲ

73

କନକ ବ୍ୟୁରୋ : ବିହାର ପରେ ଏବେ ଶାହାଙ୍କ ମିଶନ ବଙ୍ଗଳା । ଦିଦିଙ୍କ ହାତରୁ ଛଡାଇ ନେବେ କ୍ଷମତା । ବଙ୍ଗଳାବାସୀଙ୍କୁ ଉପହାର ଦେବେ ସୁନାର ବାଙ୍ଗଲା । ଏମିତି କିଛି ସ୍ୱପ୍ନ ଦେଖାଇ ବିଜେପି ଆରମ୍ଭ କରିଛି ମିଶନ ବାଙ୍ଗଲା କାର୍ଯ୍ୟକ୍ରମ । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ଗସ୍ତର ଦ୍ୱିତୀୟ ଦିନରେ ସେ ଆଜି ବୀରଭୁମ୍ ଶାନ୍ତି ନିକେତନରେ ଥିବା ଗୁରୁଦେବ ରବିନ୍ଦ୍ରନାଥ ଟ୍ୟାଗୋରଙ୍କୁ ପୁସ୍ପାଂଜଳୀ ଅର୍ପଣ କରିଛନ୍ତି । ବୀରଭୁମ ରବିନ୍ଦ୍ରନାଥ ଟ୍ୟାଗୋରଙ୍କ ଜନ୍ମସ୍ଥଳୀ ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶାହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶାନ୍ତିନିକେତନ ରବିନ୍ଦ୍ର ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହ ସେଠାରେ ଉପସ୍ଥିତ ରହି ଏହାକୁ ମନଭରୀ ଉପଭୋଗ କରିଥିଲେ । ଶାହ ବୀରଭୁମ୍ରେ ପହଂଚିବା ପରେ ବିଜେପି କାର୍ଯ୍ୟକର୍ତାଙ୍କ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୀରଭୁମ୍ ଟିଏମସିର ଗଡ଼ ହୋଇଥିବା ବେଳେ ଏହାକୁ ଭାଙ୍ଗିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି । ଏହା ପରେ ବୀରଭୁମର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଶାହଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ଶାହ ରାମକୃଷ୍ଣ ମିଶନରେ ପହଂଚିଥିଲେ । ଏହା ପରେ ମେଦିନାପୁରରେ ଏକ ବିରାଟ ଜନସଭାକୁ ସମ୍ବୋଦ୍ଧିତ କରିଥିଲେ ଶାହ । ଏହି ଜନସଭାରେ ନିକଟରେ ଟିଏମସିରୁ ଇସ୍ତଫା ଦେଇଥିବା ବିଧାୟକ ମାନେ ଉପସ୍ଥିତ ଥିଲେ ।

ଗତକାଲିର ସ୍ଥିତି ଦେଖିଲେ ମମତାଙ୍କ ହାତରୁ ଯେ କ୍ଷମତା ଯିବ ଏକଥା ଅନୁମାନ କରାଯାଉଛି । ହେଲେ ନିର୍ବାଚନକୁ ଆହୁରି ଅନେକ ଦିନ ବାକି ଥିବା ବେଳେ ପଶ୍ଚିମବଙ୍ଗରେ ଯେଭଳି ରକ୍ତର ରାଜନୀତି ଚାଲିଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।