ଟିଏମସି ସହିତ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗରେ ପହଂଚିଲେ ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ନେତାଙ୍କୁ କଲେ ସ୍ୱାଗତ

89

କନକ ବ୍ୟୁରୋ : ଆଗାମୀ ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିକୁ ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି କୋଲକତାରେ ପହଂଚିଛନ୍ତି । ତାଙ୍କ ଗସ୍ତ ଏମିତି ସମୟରେ ହୋଇଛି କି ଯେତେବେଳେ ରାଜ୍ୟ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ନେତା ଓ ବିଧାୟକ ମାନେ କ୍ରମାଗତ ଦଳରୁ ଇସ୍ତଫା ଦେଉଛନ୍ତି । ଅନୁମାନ କରାଯାଉଛି କି ଯେଉଁ ବିଧାୟକ, ମନ୍ତ୍ରୀ ଓ ନେତା ମାନେ ଟିଏମସି ଛାଡିଛନ୍ତି ସେମାନେ ଆଜି ଶାହାଙ୍କ ଉପସ୍ଥିିିତିରେ ବିଜେପିରେ ଯୋଗ ଦେଇ ପାରନ୍ତି ।

ବିଜେପିର ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ଅନିଲ ବଲୁନିଙ୍କ କହିବା ମୁତାବକ ଶାହା ଏହି ଗସ୍ତ ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି । ଏହି କ୍ରମରେ ଆଜି ପ୍ରଥମେ ଶ୍ରୀ ଶାହା ଏନଆଇଏ ଅଧିକାରୀଙ୍କ ସହ ଏକ ବୈଠକ କରିବେ । ଏହାପରେ ଉତ୍ତର କୋଲକତା ସ୍ଥିତ ସ୍ୱାମୀ ବିବେକାନନ୍ଦ ଆବାସରେ ପହଂଚି ସେଠାରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ଶ୍ରୀ ଶାହା ମେଦିନାପୁର ଯିବେ । ସେଠାରେ କ୍ରାନ୍ତିକାରୀ ଖୁଦିରାମ ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଦୁଇଟି ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନରେ ସେଠାରେ ଶ୍ରୀ ଶାହା ଏକ କୃଷକର ଘରେ ମଧ୍ୟାହ୍ନ ଭୋଜନ କରିବେ । ଏହାପରେ ମେଦିନାପୁର କଲେଜ ପଡିଆ ଠାରେ ଏକ ଜନସଭାକୁ ଉଦବୋଧନ ଦେବେ ଗୃହମନ୍ତ୍ରୀ । ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି କି କିଛି ତୃଣମୂଳ କଂଗ୍ରେସ ନେତା ଶାହାଙ୍କ ରାଲିବେଳେ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ଏହି ରାଲି ପରେ ଶାହା କୋଲକତା ଫେରି ଆସିବେ । ସେଠାରେ ରାଜ୍ୟର କିଛି ବିଜେପି ନେତାଙ୍କ ସହ ନିର୍ବାଚନ ବାବଦରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଥାଉକି କିଛିଦିନ ହେବ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦ ଭିତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା ଯାହାକୁ ନେଇ କେନ୍ଦ୍ର ବିଜେପି ଓ ଟିଏମସି ମଧ୍ୟରେ କଥା କଟା କଟି ହୋଇଛି । ଏହା ସହ ଜେପି ନଡ୍ଡାଙ୍କ ଗସ୍ତ ପରେ କିଛି ବିଜେପି ଓ ଟିଏମସି କର୍ମୀ ହତ୍ୟାର ଶିକାର ହୋଇଛନ୍ତି । ଯାହାକୁ ନେଇ ଉଭୟ ଦଳ ପରସ୍ପର ଉପରେ ଆରୋପ ଲଗାଇଛନ୍ତି । ଏହା ସହ କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ ଡେପୁଟେସନରେ କେନ୍ଦ୍ରକୁ ଡାକିଥିବା ବେଳେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏସବୁ ଭିତରେ ଶାହାଙ୍କ ଗସ୍ତ ବେଳେ ଗୁରୁତ୍ୱ ବହନ କରୂୁଛି ।