ପଶ୍ଚିମବଙ୍ଗର ୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର : ପ୍ରଚାର ରାଲିରେ ଲହଡି ଭାଙ୍ଗୁଛି ଜନ ସମୁଦ୍ର; ପ୍ରଶ୍ନ ରାଲିକୁ ଛୁଏଁ ନାହିଁ କି କରୋନା

301
କନକ ବ୍ୟୁରୋ : କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ ଏହି ଚିତ୍ର ଆସିଛି ପଶ୍ଚିମବଙ୍ଗରୁ । ଆସାନସୋଲରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଉତର ୨୪ ପ୍ରଗଣାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସବୁଠାରୁ ବଡକଥା ହେଲା କରୋନାକୁ ନେଇ ଲୋକ ଯେତେ ଚିନ୍ତିତ ଅଛନ୍ତି, ନିର୍ବାଚନ ପ୍ରଚାରରେ ଲୋକଙ୍କ ଗହଳି ଦେଖି ଲୋକ ତାଠୁ ଅଧିକ ବିବ୍ରତ ହେଉଛନ୍ତି ।
ଆଉ ଠିକ୍ ଏତିକିି ବେଳେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ୭୨ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ପ୍ରଚାରର ସମୟ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନ । ସନ୍ଧ୍ୟା ୭ରୁ ସକାଳ ୧୦ଟା ଯାଏଁ ହେବ ହୋଇପାରିବ ନାହିଁ ନିର୍ବାଚନ ପ୍ରଚାର । କେବଳ ଦିନରେ ନିର୍ବାଚନ ପ୍ରଚାର କରିପାରିବେ ରାଜନୈତିକ ଦଳ ।
ତେବେ କାହିଁକି ଏଭଳି ନିଷ୍ପତି ନେଲେ ନିର୍ବାଚନ କମିଶନ ? ତାହା ବୁଝା ପଡୁନାହିଁ । କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ ଗୋଟିଏ ପଟେ ପ୍ରଚାର ଉପରେ କଟକଣା ଲଗାଯାଉଛି । ଅନ୍ୟପଟେ କିନ୍ତୁ କରୋନାର ସୁପର ସ୍ପ୍ରେଡର ପାଲଟିବା ପାଇଁ ନିର୍ବାଚନ ରାଲିଗୁଡିକୁ ଛାଡି ଦିଆଯାଉଛି । ସାଧାରଣ ଲୋକ ମାସ୍କ ନପିନ୍ଧିଲେ, ସାମାଜିକ ଦୂରତା ନ ରଖିଲେ ପୋଲିସ ଚାଲାଣ କାଟୁଛି । ହେଲେ ରାଜନେତାଙ୍କ ପ୍ରଚାର ଉପରେ କୌଣସି ଅଙ୍କୁଶ ନାହିଁ ।