ନାମାଙ୍କନ ପତ୍ର ଦାଖଲ ପରେ ସାମ୍ନାକୁ ଆସିଲା ଅମିତ ଶାହାଙ୍କ ସମ୍ପତି ତାଲିକା । ମୋଟ ଏତିକି କୋଟିର ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ।

928

କନକ ବ୍ୟୁରୋ: ଗୁଜରାଟର ଗାନ୍ଧୀନଗରରେ ନାମାଙ୍କନ ଭରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ଶୁକ୍ରବାର ଗାନ୍ଧୀନଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏହାସହ ନିଜ ମୋଟ୍ ସମ୍ପତିକୁ ନେଇ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠ ଅନୁସାରେ କେନ୍ଦ୍ରଗୃହମନ୍ତ୍ରୀଙ୍କର ରହିଛି ୩୬ କୋଟିର ସ୍ଥାବର ଅସ୍ଥାବର ସମ୍ପତି । ଆଉ ନିଜର କୌଣସି ଗାଡି ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ରଗୃହମନ୍ତ୍ରୀ । କେବଳ ସେତିକି ନୁହେଁ ଅମିତ ଶାହାଙ୍କର ୭୨ ଲକ୍ଷ ଟଙ୍କାର ଅଳଙ୍କାର ରହିଥିବା ଜଣାପଡିଛି । ଗୁଜରାଟ ଗାନ୍ଧୀନଗରରୁ ନିର୍ବାଚନ ଲଢୁଛନ୍ତି ଅମିତ ଶାହା । ଏହା ଗୁଜୁରାଟର ଅନ୍ୟତମ ବୃହତ ଲୋକସଭା ଆସନ । ଦ୍ୱିତୀୟ ଥର ପାଇଁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଅମିତ ଶାହା । ୨୦୧୯ ଲୋକସଭା ନିର୍ବାଚନରେ ୫ ଲକ୍ଷ ଭୋଟ ବ୍ୟବଧାନରେ ଶାହା ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ଗାନ୍ଧୀ ନଗରରେ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ସୋନାଲ ପଟେଲ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ଏହାରି ଭିତରେ ଅମିତ ଶାହାଙ୍କ ମୋଟ୍ ସମ୍ପତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ଅମିତ ଶାହାଙ୍କ ପାଖରେ କେତେ ଟଙ୍କା?

– ସତ୍ୟପାଠରେ ଅମିତ ଶାହାଙ୍କ ମୋଟ ସମ୍ପତ୍ତି
– ୩୬ କୋଟିର ସ୍ଥାବର, ଅସ୍ଥାବର ସମ୍ପତି ରହିଛି
– ସତ୍ୟପାଠ ଅନୁସାରେ ଅମିତ ଶାହାଙ୍କର ନାହିଁ ନିଜସ୍ୱ କାର
– ୨୦ କୋଟିର ସ୍ଥାବର ଓ ୧୬ କୋଟିର ଅସ୍ଥାବର ସମ୍ପତି
– ଶାହାଙ୍କର ରହିଛି ୭୨ ଲକ୍ଷ ଟଙ୍କାର ଅଳଙ୍କାର
– ପତ୍ନୀ ସୋନାଲ ଶାହାଙ୍କର ରହିଛି ୧ କୋଟି ୧୦ ଲକ୍ଷ ଟଙ୍କାର ଅଳଙ୍କାର
– ପତ୍ନୀଙ୍କ ନାମରେ ୩୧ କୋଟିର ସ୍ଥାବର, ଅସ୍ଥାବର ସମ୍ପତି
– ଅମିତ ଶାହଙ୍କ ନାଁରେ ୧୫ ଲକ୍ଷ ୭୭ ହଜାର ଟଙ୍କାର ଗୃହ ଋଣ ରହିଛି
– ପତ୍ନୀ ସୋନାଲଙ୍କ ନାଁରେ ୨୬ ଲକ୍ଷ ୩୨ ହଜାର ଟଙ୍କାର ଲୋନ୍ ରହିଛି
– ବର୍ଷ ୨୦୨୨-୨୩ରେ ଶାହାଙ୍କ ବାର୍ଷିକ ଆୟ ୭୫ ଲକ୍ଷ ୯ ହଜାର ଟଙ୍କା
– ପତ୍ନୀଙ୍କ ବାର୍ଷିକ ଆୟ ୩୯ ଲକ୍ଷ ୫୪ ହଜାର ଟଙ୍କା