ମମତାଙ୍କ ଗଡରୁ ଗର୍ଜିଲେ ଶାହା । ପଶ୍ଚିମବଙ୍ଗରେ ବିଜେପିର ଶକ୍ତି ପ୍ରଦର୍ଶନ, ଅମିତ ଶାହା କହିଲେ, ପୁଣି ପ୍ରଧାନମନ୍ତ୍ରୀ ହେବେ ମୋଦି ।

194

କନକ ବ୍ୟୁରୋ : କୋଲକାତାରେ ପ୍ରବଳ ହଙ୍ଗାମା ପରେ ବିଶାଳ ରୋଡ ସୋ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କୋଲକାତାରେ ଶକ୍ତି ପ୍ରଦର୍ଶନ କରିବା ସହ ମମତା ବାନାର୍ଜିଙ୍କୁ ଟାର୍ଗେଟ୍ କରିଛନ୍ତି ଶାହା । ଶାହାଙ୍କ ଗସ୍ତ ପୂର୍ବରୁ ବିଜେପିର ପୋଷ୍ଟର ହଟିବା ଏବଂ ୭ ଜଣ ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଶାହା କହିଛନ୍ତି, ରାଜ୍ୟରେ ହିଂସାକୁ ବଢାଇ ବିଜେପିକୁ ରୋକିବାକୁ ଚାହୁଁଛନ୍ତି ମମତା । ତେବେ ମମତା ଯେତେ ହିଂସାର କାଦୁଅ ଖେଳାଇବେ, ସେତେ ଅଧିକ ପଦ୍ମ ଫୁଟିବ ବୋଲି କହିଛନ୍ତି ଶାହା ।

ତେବେ ଆଜି ଶାହାଙ୍କ ରାଲିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନୀ ପ୍ରଚାର ପରେ ଶାହା କହିଛନ୍ତି, ଦେଶରେ ୬ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଶେଷ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ତେବେ ୬ଟି ପର୍ଯ୍ୟାୟ ମତଦାନରେ ବିଜେପିକୁ ବହୁମତ ମିଳି ସାରିଲାଣି । ଭାରତୀୟ ଜନତା ପାର୍ଟି ଚଳିତ ନିର୍ବାଚନରେ ୨୮୨ରୁ ଅଧିକ ଆସନ ପାଇବା ସହ କେନ୍ଦ୍ରରେ ସରକାର ଗଢିବ । ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ ।