ନିର୍ବାଚନ ପୂର୍ବରୁ ଶାହାଙ୍କ ଦମ୍ଭୋକ୍ତି ! କହିଲେ, ମମତାଙ୍କ ଗଡରେ ବିଜେପି ଜିତିବ ୨୩ଟି ଲୋକସଭା ଆସନ, ଟିଏମସି କହିଲା ଦିନରେ ସ୍ୱପ୍ନ ଦେଖୁଛି ବିଜେପି ।

153

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ୨୩ଟି ଲୋକସଭା ଆସନ ଜିତିବ ଭାରତୀୟ ଜନତା ପାର୍ଟି । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପଶ୍ଚିମବଙ୍ଗରେ ମୋଟ୍ ୪୨ଟି ଲୋକସଭା ଆସନ ଥିବା ବେଳେ ଶାହା କହିଛନ୍ତି, ୨୩ଟି ଆସନ ବିଜେପି ଖାତାକୁ ଆସିବ । ଯଦି ଏପରି ହୁଏ, ତେବେ ମମତାଙ୍କ ଗଡରେ ବିଜେପି ଶାସନ କ୍ଷମତା ହାସଲ କରିବ ।ସେପଟେ ଶାହାଙ୍କ ଏଭଳି ଦମ୍ଭୋକ୍ତିର ଉତ୍ତର ରଖିଛି ତୃଣମୂଳ କଂଗ୍ରେସ ।

ଟିଏମସି ସାଂସଦ କଲ୍ୟାଣ ବାନାର୍ଜି, ଶାହାଙ୍କ ଏଭଳି ଦୃଢୋକ୍ତିକୁ ବିଜେପିର ସ୍ୱପ୍ନ ବୋଲି ଦର୍ଶାଇବା ସହ ରାଜ୍ୟରେ ଟିଏମସିର ଝଡ ବୋହୁଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଅମିତ ଶାହା ଯଦି ଭାବୁଛନ୍ତି, ପଶ୍ଚିମବଙ୍ଗରେ ବିଜେପି ୨୩ଟି ଲୋକସଭା ଆସନ ଜିତିବ ବୋଲି, ତେବେ ସେ ତୃଣମୂଳ ସ୍ଥରରେ ବିଜେପିର ସ୍ଥିତି ଜାଣିନାହାନ୍ତି । ତେବେ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ, ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଜନମତ କାହା ସପକ୍ଷରେ ଯିବ, ସେନେଇ ଏବେ ଠାରୁ ସାମ୍ନାକୁ ଆସୁଛି ନେତାଙ୍କ ବୟାନବାଜି । ଆଉ ଏସବୁ ଭିତରେ ଏପେକ୍ଷା ମେ ୨୩ ତାରିଖକୁ, ଯେତେବେଳେ ସ୍ପଷ୍ଟ ହୋଇଯିବ ଜନତା ଜନାର୍ଦନ କାହା ଉପରେ ଭରସା କରୁଛନ୍ତି ।