କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଏହାପୂର୍ବରୁ ଜୋରଦାର ପ୍ରଚାର ଚଳାଇଛି ବିଜେପି । ପଦ୍ମ ଦଳର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ପ୍ରଚାରର ମଙ୍ଗ ଧରିବା ସହ ବିଭିନ୍ନ ସ୍ଥାନରେ ବଡ ବଡ ସମାବେଶ କରୁଥିବାର ଦେଖିବାକୁ ମିଳୁଛି । ଆଉ ଏହି କ୍ରମରେ ଆଜି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରୁ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି ଶାହା । ରାମ ମନ୍ଦିର ନିର୍ମାଣକୁ ନେଇ କାହାର ନାଁ ନନେଇ ଅମିତ୍ ଶାହା କହିଛନ୍ତି, ରାମ ମନ୍ଦିର ସେହି ସ୍ଥାନରେ ନିର୍ମାଣ ହେଉଛି । କାହାର ସାହସ ଅଛି ତ ବନ୍ଦ କରି ଦେଖାଅ । ଏହାସହ ନିର୍ବାଚନୀ ଭାଷଣରେ ପ୍ରଭୁ ଶ୍ରୀରାମକୁ ଟାଣି ଉତ୍ତରପ୍ରଦେଶ ରାଜନୀତିକୁ ଆହୁରି ରୋଚକ କରିଛନ୍ତି ଶାହା । ଏହାସହ ସମାବେଶରେ ଉପସ୍ଥିତ ଥିବା ଲୋକଙ୍କୁ ପଚାରିଥିଲେ ଯେ, କରସେବକଙ୍କ ଉପରକୁ ଗୁଳି ଚଳାଯାଇଥିଲା, ମନେ ଅଛି ତ?
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ବିଜେପି ଜନବିଶ୍ୱାସ ଯାତ୍ରା କରୁଛି । ଆଉ ଏହି ଯାତ୍ରା ସମୟରେ ଅମିତ ଶାହା କହିଛନ୍ତି, ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡିବ ଯେ ପ୍ରଭୁ ଶ୍ରୀରାମଙ୍କୁ କାହିଁକି ଏତେ ବର୍ଷ ଧରି ଟେଣ୍ଟ ତଳେ ରହିବାକୁ ପଡିଲା । ମନ୍ଦିର ନିର୍ମାଣକୁ ଏତେ ଦିନ ଧରି କିଏ ବନ୍ଦ କରି ରଖିଥିଲା, ରାମଭକ୍ତଙ୍କୁ କିଏ ମାଡ ମାରିଥିଲା ? ଏସବୁ ଘାତ ପ୍ରତିଘାତ ମଧ୍ୟରେ ଲୋକେ ବିଜେପିକୁ ସରକାରକୁ ଆଣିବା ପରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି ।
ଏହାସହ ଅଖିଳେଶ ଓ ମାୟାବତୀଙ୍କୁ ଟାର୍ଗେଟ କରିବାକୁ ଯାଇ ଅମିତ ଶାହା କହିଛନ୍ତି, ବୁଆ-ବବୁଆଙ୍କ ଶାସନ କାଳରେ ଆମର ଆସ୍ଥାକୁ ସେଭଳି ସମ୍ମାନ ମିଳୁନଥିଲା । ଆଜି ମୋଦୀ ସରକାର ପ୍ରତ୍ୟେକ ତୀର୍ଥସ୍ଥଳୀକୁ ସମ୍ମାନ ଦେବାର କାର୍ଯ୍ୟ କରୁଛନ୍ତି । ଏହାଛଡା ଏବେ ଅଯୋଧ୍ୟାରେ ଭବ୍ୟ ରେଲୱେ ଷ୍ଟେସନର ମଧ୍ୟ ନିର୍ମାଣ ଚାଲିଛି । ଉତ୍ତରପ୍ରଦେଶକୁ ବିକାଶ ପଥରେ ଆଗେଇ ନେଉଛି ବିଜେପି ସରକାର । ଉତ୍ତରପ୍ରଦେଶକୁ ଦେଶର ନମ୍ବର ୱାନ ରାଜ୍ୟ ଭାବେ ଗଢି ତୋଳିବାକୁ ବିଜେପି ସରକାରର ଲକ୍ଷ୍ୟ ରହିଛି । ପୂର୍ବ ସରକାରରେ ଉତ୍ତରପ୍ରଦେଶରେ ମାଫିଆ ରାଜ ଚାଲିଥିଲା ଏବେ ଉତ୍ତରପ୍ରଦେଶରୁ ମାଫିଆ ଓ ଗୁଣ୍ଡା ମାନେ ପଳାୟନ କରୁଛନ୍ତି ।