ଦିଲ୍ଲୀରେ ମାଓ ପ୍ରଭାବିତ ରାଜ୍ୟର ବୈଠକ : ଓଡିଶା ସମେତ ୧୦ ରାଜ୍ୟକୁ ନେଇ ତିଆରି ହେବ ମାଓ ଦମନ ରଣନୀତି

ସିଆରପିଏଫ ନିୟୋଜନ ବକେୟା ଟଙ୍କା ଛାଡ ପାଇଁ ମୁଖ୍ୟମନ୍ତ୍ରୀ କରିପାରନ୍ତି ଦାବି

91

କନକ ବ୍ୟୁରୋ : ଦିଲ୍ଲୀରେ ଆରମ୍ଭ ହୋଇଛି ମାଓ ପ୍ରଭାବିତ ରାଜ୍ୟର ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ୧୦ ମାଓ ପ୍ରଭାବତି ରାଜ୍ୟର ମାଓ ଦମନ ରଣନୀତକୁ ନେଇ ବୈଠକ ଚାଲିଛି । ଦୁର୍ଗମ ଅଂଚଳର ରାସ୍ତା, ରେଳପଥ, ଟାୱାର ନିର୍ମାଣ ପ୍ରସଙ୍ଗ ଏହି ବୈଠକରେ ଫୋକସରେ ରହିବ । ତେବେ ମାଓ ମୁକାବିଲା ନେଇ ଓଡ଼ିଶାର ଫୋକସ କ’ଣ ରହିବ । କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ? ମାଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି କ’ଣ ରହିବ ? ଏହା ଉପରେ ସମସ୍ତଙ୍କର ନଜର ରହିଛି ।

ସୂଚନା ଅନୁସାରେ ଏହି ବୈଠକରେ ଓଡ଼ିଶା ସୀମାବର୍ତ୍ତୀ ରାଜ୍ୟକୁ ଲାଗି ରହିଥିବା ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଥିବା ଦୁର୍ଗମ ମାଓ ଉପଦ୍ରୁତ ଅଂଚଳରେ ଯୋଗାଯୋଗ ଉପରେ ଫୋକସ ଦିଆଯିବ । ଏହି ଅଂଚଳର ରାସ୍ତା ନିର୍ମାଣ ସହ ଅଧିକରୁ ଅଧିକ ମୋବାଇଲ ଟାୱାର ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ ଦାବି ରଖିପାରନ୍ତି । ମାଲକାନଗିରି, ନବରଙ୍ଗପୁର ରେଳପଥ ନିର୍ମାଣ ପାଇଁ ମଧ୍ୟ ଦାବି ଉଠିପାରେ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସେହି ଅଂଚଳରେ ମାଓ ହିଂସା କମିଛି, ଏହାକୁ ପ୍ରମାଣ ଭାବେ ଓଡ଼ିଶା ରଖିପାରେ । ଏହା ସହ ମାଓ ପ୍ରବଣ ଅଂଚଳରେ ପର୍ଯ୍ୟାପ୍ତ ପରିମାଣରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାକୁ ମଧ୍ୟ ରାଜ୍ୟର ପ୍ରମୁଖ ଦାବି ରହିବ ବୋଲି ସୂଚନା ରହିଛି ।