ରାଷ୍ଟ୍ରପତିଙ୍କ ସମେତ ବଡ ବଡ ନେତା ବଢାଇଲେ ଇସ୍ରୋ ବୈଜ୍ଞାନିକଙ୍କ ସାହସ ! ଟ୍ୱିଟ୍ କରି କହିଲେ ଆପଣଙ୍କ ପରିଶ୍ରମ ବ୍ୟର୍ଥ ଯିବନାହିଁ । 

288

ଭାରତର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ଶୁକ୍ରବାର ମଧ୍ୟରାତ୍ରରେ ଚନ୍ଦ୍ରଠାରୁ ମାତ୍ର ୨.୧ କି.ମି. ଦୂରତାରେ ହିଁ ଥିବାବେଳେ ସଂପର୍କ ଛିନ୍ନ ହୋଇ ଯାଇଥିଲା । ଲ୍ୟାଣ୍ଡର ବିକ୍ରମକୁ ୧.୩୮ ମିନିଟ୍ ସମୟରେ ଚନ୍ଦ୍ରକୁ ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଚନ୍ଦ୍ରଠାରୁ ମାତ୍ର ୨.୧ କିଲୋମିଟର ପୂର୍ବରୁ ହିଁ ଇସ୍ରୋ ସହ ତାହାର ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ବିକ୍ରମ ଉଭୟ ରଫ୍ ବ୍ରେକିଙ୍ଗ୍ ଏବଂ ଫାଇନ୍ ବ୍ରେକିଙ୍ଗ୍ ଚରଣକୁ ସଫଳତା ପୂର୍ବକ ପାର୍ କରିଯାଇଥିଲେ ମଧ୍ୟ ସଫ୍ଟ ଲ୍ୟାଣ୍ଡିଙ୍ଗ୍ ହେବା ପୂର୍ବରୁ ଏହାର ସଂପର୍କ ପୃଥିବୀରେ ଥିବା ଷ୍ଟେସନରୁ କଟିଯାଇଥିଲା । ଏହାସହ ବୈଜ୍ଞାନିକ ଏବଂ ଦେଶବାସୀଙ୍କ ଚେହେରାରେ ନିରାଶାର ଭାବ ଦେଖିବାକୁ ମିଳିଥିଲା । ଲ୍ୟାଣ୍ଡର ବିକ୍ରମ ସହ ସଂପର୍କ ଭାଙ୍ଗିବା ପରେ ପିଏମ୍ ମୋଦି , ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ସହ ଦେଶର ଅନ୍ୟ ନେତାମାନେ ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କ ସାହସକୁ ପ୍ରଶଂସା କରିଛନ୍ତି ।

ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ଶନିବାର ଚନ୍ଦ୍ରଯାନ-୨ ମିଶନ୍ କୁ ନେଇ କହିଥିଲେ , ଇସ୍ରୋ ଟିମ୍ ଅନୁକରଣୀୟ ପ୍ରତିବନ୍ଦତା ଏବଂ ସାହସର ପ୍ରଦର୍ଶନ କରିଛି । ରାଷ୍ଟପତି ଟ୍ୱିଟ୍ କରି କହିଥିଲେ , ଦେଶକୁ ଇସ୍ରୋ ଉପରେ ଗର୍ବ ରହିଛି । ଆଗକୁ କିଭଳି ଆହୁରି ଭଲ କରିବୁ ଏନେଇ ଅଧିକ ଜାଗୃତ ହେବାକୁ ପଡିବ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଶନିବାର କହିଥିଲେ ଚନ୍ଦ୍ରଯାନ-୨ କୁ ଚନ୍ଦ୍ରମାର ପାଖରେ ନେଇ ପହଁଚାଇଥିବା ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ଆମେ ଗର୍ବ କରୁଛୁ । ସମ୍ପୁର୍ଣ୍ଣ ଭାରତ ଆମର ପ୍ରତିବଦ୍ଧ ଏବଂ କଠିନ ପରିଶ୍ରମ କରୁଥିବା ଇସ୍ରୋ ବୈଜ୍ଞାନିକଙ୍କ ସାଙ୍ଗରେ ରହିଛି ।

 

ଏନେଇ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି କହିଥିଲେ , ଇସ୍ରୋଟିମକୁ ଚନ୍ଦ୍ରଯାନ-୨ ରେ ପ୍ରଭାବଶାଳୀ କାମ କରିବା ପାଇଁ ବହୁତ ଶୁଭକାମନା । ଆପଣଙ୍କ ସମର୍ପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପ୍ରେରଣା । ଆପଣଙ୍କ କାମ ବେକାର ଯିବନାହିଁ ।