କନକ ବ୍ୟୁରୋ:  ଅମିତ ଶାହ । ବିଜେପିର ଚାଣକ୍ୟ । ମୋଦୀ ମନ୍ତ୍ରୀମଣ୍ଡଳରେ ନମ୍ବର ଟୁ ମନ୍ତ୍ରୀ  ।  ଶାହା ରାଜନୀତିର ଏମିତି ଜଣେ ସେନାପତି, ଯିଏ ନରେନ୍ଦ୍ର ମୋଦୀଙ୍କୁ ପିଏମ୍ ମୋଦୀ ବନେଇଥିଲେ, ବିଜେପିକୁ ପ୍ରଚଣ୍ଡ ବହୁମତରେ ନିର୍ବାଚନ ଜିତାଇଥିଲେ । ସାରା ଦେଶରେ ଯେତେବେଳେ ବିଜେପି ପଦ୍ମ ଫୁଟାଇବାକୁ ସଂଘର୍ଷ କରୁଥିଲା, ସେତେବେଳେ ଶାହା ହିଁ ସାରା ଦେଶର ରାଜନୀତିରେ ପଦ୍ମ ଫୁଲ ଫୁଟାଇଥିଲେ ।

Advertisment

ଶାହା ରାଜନୀତିର ଏମିତି ଜଣେ ନେତା, ଯିଏ କେବେ ହାରିବା ପସନ୍ଦ କରନ୍ତିନି । ଆଉ ରାଜନୀତି ମଇଦାନକୁ ଥରେ ଓହ୍ଲାଇଲେ ଆଉ ପଛକୁ ଦେଖନ୍ତିନି । ଖାସ୍ ସେଇଥିପାଇଁ, ତାଙ୍କୁ ବିଜେପିର ବିଗବସ୍ କୁହାଯିବା ସହ ଚାଣକ୍ୟ ବୋଲି ବି କୁହାଯାଏ ।

  • କ୍ଲାସ୍ ମନିଟରରୁ ବିଜେପି ସଭାପତି
  • ସ୍ୱୟଂସେବକରୁ ସରକାରରେ ଗୃହମନ୍ତ୍ରୀ

୧୯୬୪ ମସିହା ଅକ୍ଟୋବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିବା ଶାହା, ପିଲାଟି ଦିନରୁ ରାଜନୀତିରେ ରୁଚି ରଖିଥିଲେ । କୁହାଯାଏ, ସପ୍ତମ ଶ୍ରେଣୀରେ ପଢୁଥିବାବେଳେ, ଶାହା ସ୍କୁଲ ମନିଟର ନିର୍ବାଚନ ଜିତିଥିଲେ । ୫୦ ଜଣ ପିଲାରୁ ପାଖାପାଖି ୭୦ ପ୍ରତିଶତ ପିଲା ଶାହାଙ୍କୁ ତାଙ୍କ ସ୍କୁଲ ମନିଟର ଭାବେ ବାଛିଥିଲେ । ଆଉ ସମୟ ବଢିବା ସହ ଶାହା ରାଜନୀତିର ଶେହନଶାହ ବନି ଯାଇଥିଲେ ।

୧୯୮୨ ମସିହାରେ ଅମିତ ଶାହାଙ୍କ ଭେଟ ନରେନ୍ଦ୍ର ମାଦୀଙ୍କ ସହ ହେଇଥିଲା । ସେତେବେଳେ ମୋଦୀ ଅହମ୍ମଦାବାଦ ସଂଘର ଜିଲ୍ଲା ପ୍ରଚାରକ ଥିବାବେଳେ, ଶାହ ଗୁଜରାଟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସହ-ସଚିବ ଥିଲେ । ବାସ୍ ଏଇଠୁ ଆରମ୍ଭ ହୋଇଥିବା ମୋଦୀ-ଶାହାଙ୍କ ଯୋଡି ଆଜି ବି ଜାରି ରହିଛି ।

 ୯୦ ଦଶକରେ ଆଡଭାନୀ ସୋମନାଥରୁ ଅଯୋଧ୍ୟା ରଥଯାତ୍ରା ଆରମ୍ଭ କରିଥିଲେ । ଆଉ ଆଡଭାନୀଙ୍କ ଏହି ରଥଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦୀ । ଆଉ ଯେତେବେଳେ ୧୯୯୧ ମସିହାରେ ଲାଲ କୃଷ୍ଣ ଆଡଭାନୀ ଗାନ୍ଧୀ ନଗରରୁ ଲଢିବାକୁ ଫର୍ମ ଭରିଥିଲେ । ସେତେବେଳେ, ମୋଦୀଙ୍କ ସହ ଅମିତ ଶାହା ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ରହିଥିଲେ । ଏହି ନିର୍ବାଚନରେ ଅମିତ ଶାହାଙ୍କୁ ଆଡଭାନୀଙ୍କ ପ୍ରଚାର କାମ ଦିଆଯାଇଥିଲା ।

୧୯୯୭ ମସିହାରେ ଶାହା ପ୍ରଥମ କରି ରାଜନୀତି ମଇଦାନରେ ନିଜେ ପାଦ ଥାପିବା ସହ ଗୁଜରାଟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୨ ମସିହା ପର୍ଯ୍ୟନ୍ତ ଅମିତ ଶାହ ଗୁଜରାଟ ବିଧାନସଭାକୁ ଲଗାତାର ନିର୍ବାଚିତ ହୋଇଚାଲିଥିଲେ । ଆଉ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ସେ ଗୁଜରାଟର ଗୃହମନ୍ତ୍ରୀ ମଧ୍ୟ ରହିଥିଲେ ।

  • ୟୁପି ଦାୟିତ୍ୱରେ ଶାହା
  • ଉତ୍ତରପ୍ରଦେଶରେ ବିଜେପିର ବଡ ବିଜୟ

୨୦୧୩ ମସିହାରେ ଭାରତୀୟ ଜନତା ପାର୍ଟି ଅମିତ ଶାହାଙ୍କୁ ଉତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦେଇଥିଲା । ସେତେବେଳେ ୟୁପିରେ ବିଜେପିର ହାତ ଗଣତି କେଇ ଜଣ ଲୋକସଭା ସାଂସଦ ଥିଲେ । ହେଲେ ଯେଉଁ କଥା କେହି କେବେ ଭାବିନଥିଲେ, କେହି କେବେ ଚିନ୍ତା କରିନଥିଲେ, ସେଇ କଥାକୁ ସତ କରି ଦେଖେଇ ଦେଇଥିଲେ ଅମିତ ଶାହା । ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୟୁପିରେ ବଡ ବିଜୟ ମିଳିଥିବାବେଳେ,ଏହାର ସୂତ୍ରଧର ଥିଲେ ବିଜେପିର ଚାଣକ୍ୟ ।

୨୦୧୪ ମସିହା ଜୁଲାଇ ୯ ତାରିଖରେ ଭାରତୀୟ ଜନତା ପାର୍ଟି ଅମିତ ଶାହଙ୍କୁ ନିଜର ନୂଆ ଅଧ୍ୟକ୍ଷ ବାଛିଥିଲା । ଆଉ ଶାହା ଯାହା କରି ଦେଖାଇଥିଲେ, ତାହା ବିଜେପି ଇତିହାସରେ ସବୁଦିନ ପାଇଁ ଲେଖା ହେଇଯାଇଥିଲା । ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ ସରକାର ଗଢିବା ସହ କ୍ଷମତା ହାତେଇଥିଲା । ଆଉ ସଫଳତା ପରେ ସଫଳତା ଦେଖିଥିଲା ।

ଶାହା କ୍ୟାପଟେନ୍ସିରେ ୧୯ ନିର୍ବାଚନ ଲଢିଥିଲା ଭାରତୀୟ ଜନତା ପାର୍ଟି । ମୋଦୀଙ୍କ ଚେହେରା ଆଉ ଶାହାଙ୍କ ସୂତ୍ରକୁ ନେଇ ଦଳ ଏଥର ମଇଦାନକୁ ଓହ୍ଲାଇଥିଲା । ଆଉ ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ କେନ୍ଦ୍ରରେ ପୁଣିଥରେ ସରକାର ଗଢିଥିଲା ବିଜେପି ଆଉ ଦ୍ୱିତୀୟ ଥର ପାଇଁ ପିଏମ୍ ବନିଥିଲେ ନରେନ୍ଦ୍ର ମୋଦୀ । ୧୯୮୨ ମସିହାରେ ଆରମ୍ଭ ହୋଇଥିବା ମୋଦୀ-ଶାହା ଯୋଡି, ୨୦୧୯ରେ ବି ଦେଖିବାକୁ ମିଳିଥିଲା । ମୋଦୀ କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅମିତ ଶାହା । ଆଉ ସେବେଠୁ ସେ ଦେଶର ଗୃହମନ୍ତ୍ରୀ ଭାବେ କାମ କରିଆସୁଛନ୍ତି ।

ରାଜନୀତିର ଏହି ଚତୁର ଚାଣକ୍ୟଙ୍କୁ ଆଜି ପୂରିଛି ଠିକ୍ ୫୮ ବର୍ଷ । ଆଜିର ଦିନରେ ହିଁ ଜନ୍ମ ନେଇଥିଲେ ଅମିତ ଶାହା । ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟରରେ ଶାହାଙ୍କ ପଛରେ ଅନେକ ବିବାଦ ରହିଛି, ଅନେକ ବିବାଦରେ ସେ ଛନ୍ଦି ହେଇଛନ୍ତି । ହେଲେ ଏସବୁ ଭିତରେ ତେବେ ରାଜନୀତିରେ ରଣନୀତି ପ୍ରସ୍ତୁତ କରିବା ହେଉ,ଅବା ନିର୍ବାଚନ ମ୍ୟାନେଜମେଂଟ ସବୁବେଳେ ବିଜୟ ବାଜିଗର ହେଇପାରିଛନ୍ତି ଅମିତ ଶାହା ।