କନକ ବ୍ୟୁରୋ: ଫଳାଫଳ ପୂର୍ବରୁ ପ୍ରେସମିଟ୍ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଚଳିତ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗତ ନିର୍ବାଚନରେ ଯେଉଁ ୧୨୦ ସଂସଦୀୟ କ୍ଷେତ୍ରରେ ଫଳାଫଳ ବିଜେପି ସପକ୍ଷରେ ଯାଇନଥିଲା । ସେହି ଆସନ ଗୁଡ଼ିକୁ ଫୋକସରେ ରଖି ଚଳିତଥର ନିର୍ବାଚନ ଲଢ଼ିଛି ଭାରତୀୟ ଜନତା ପାର୍ଟି ବୋଲି କହିଛନ୍ତି ଅମିତ ଶାହ । ୫ ବର୍ଷ ପୂର୍ବେ ଯେତେବେଳେ ଦେଶବାସୀ କଂଗ୍ରେସ ମୁକ୍ତ ଭାରତକୁ ମନ ବଳାଇ ବିଜେପି ସରକାରକୁ ବହୁମତ ଦେଇ ଐତିହାସିକ ଫଳାଫଳ ଦେଇଥିଲେ, ତାହା ଦର୍ଶାଇଥିଲା ଯେ ଦେଶବାସୀ ପରିବର୍ତ୍ତନ ଚାହୁଛନ୍ତି । ଆଉ ବିଜେପି ସରକାର ତାଙ୍କ ବିଶ୍ୱାସରେ ବିଗତ ୫ ବର୍ଷ ଧରି ଛିଡ଼ା ହୋଇଛି ବୋଲି କହିଛନ୍ତି ଶାହ ।
ଅନ୍ୟପଟେ ଯେତେବେଳେ ବିଜେପିର ୫ ବର୍ଷ ପୂରିବାକୁ ଆସିଲାବେଳେ ଏବେ ଦେଶବାସୀ ପୁଣି ଥରେ ବିଜେପି ସରକାରକୁ କ୍ଷମତା ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଶାହ । କାରଣ- ‘ମେରା ପରିବାର ଭାଜପା ପରିବାର’, ମେ ଭି ଚୌକିଦାର, ଅବକୀ ବାର୍ ଫିର୍ ମୋଦି ସରକାର ଭଳି ନାରା ଦେଶରେ ଗୁଞ୍ଜରିତ ହେବାରେ ଲାଗିଛି । ଏପରିକି ଦୀର୍ଘ ୫ ବର୍ଷ ମଧ୍ୟରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ୩୮୦୦ ବାଇକ୍ ରାଲି ବିଜେପି ସମର୍ଥନରେ ବାହାରିଛି । କେବଳ ଏତିକି ନୁହେଁ ବିଜେପି କ୍ଷମତାକୁ ଆସିବା ପରେ ପରେ ୧୬୧ଟି କଲ୍ ସେଣ୍ଟର କରାଯାଇଛି । ଯେଉଁଥିରେ ୧୫ ହଜାର ୬୮୨ ଜଣ କଲର୍ସ ବିଜେପି ଶାସିତ ୧୬ଟି ରାଜ୍ୟର ୨୪ କୋଟି ୮୧ ଲକ୍ଷ ଲୋକଙ୍କ ସହ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଉଥିଲେ ।
ସେହିପରି ଦେଶରେ ମୋଦି ଲହର ଉଚ୍ଚସ୍ତରରେ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ନମୋ ଆପ୍ , ନମୋ ମର୍ଚ୍ଚାଣ୍ଡାଇସ୍ ନମୋ ଟିଭି ଏବଂ ମନ୍ କୀ ବାତ୍ ଜରିଆରେ ଲୋକମାନଙ୍କ ସହ ଯୋଡି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଗତ ୫ ବର୍ଷ ମଧ୍ୟରେ ୧୫ ହଜାର ରାଷ୍ଟ୍ରୀୟ ସଭାର ଆୟୋଜନ କରି ଦେଶ ଓ ରାଜ୍ୟର ବିକାଶ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିଛି ଭାରତୀୟ ଜନତା ପାର୍ଟି ବୋଲି କହିଛନ୍ତି ଅମିତ୍ ଶାହ । ତେଣୁ ଚଳିତ ନିର୍ବାଚନର ଫଳାଫଳ ଆସନ୍ତା ୨୩ ତାରିଖରେ ବାହାରିବ ଏବଂ ଆମର ପୁରା ବିଶ୍ୱାସ ୩୦୦ରୁ ଅଧିକ ସିଟ୍ ରେ ବିଜୟୀ ହୋଇ ପୁଣି କେନ୍ଦ୍ରରେ ସରକାର ଗଢ଼ିବ ବିଜେପି ବୋଲି ଦାମ୍ଭୋକ୍ତି ବାଢ଼ିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/D6w6GonVsAEuaZj.png)