ନବୀନ ନିବାସ ଯିବେ ଅମିତ ଶାହା । ମଧ୍ୟାହ୍ନ ଭୋଜନରେ ହେବେ ସାମିଲ । ଗୋଟିଏ ଟେବୁଲରେ ଏକାଠି ହେବେ ନବୀନ, ଶାହା, ମମତା, ଓ ନୀତିଶ

ପରସ୍ପରକୁ ବିରୋଧ କରୁଥିବା ନେତା କଣ କରିବେ ଆଲୋଚନା ତା ଉପରେ ସାରା ଦେଶର ନଜର

1,025

କନକ ବ୍ୟୁରୋ: ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ପଲିଟିକ୍ସ । ଆଜି ଗୋଟିଏ ଟେବୁଲରେ ଏକାଠି ହେବେ ଶାହା – ନବୀନ , ମମତା ଓ ନୀତିଶ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟାହ୍ନ ଭୋଜନ ଦେବେ । ଏଥିପାଇଁ ନବୀନ ନିବାସ ଆସିବେ ଶାହା । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନବୀନ ଓ ଶାହାଙ୍କ ସହିତ ଯୋଗଦେବେ ।

ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଭିତରେ ଯେତେବେଳେ ମମତା ବାନାର୍ଜୀ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ରଖୁଛନ୍ତି , ସେତେବେଳେ ନବୀନ ପଟ୍ଟନାୟକ ଗୋଟିଏ ଟେବୁଲରେ ଶାହା, ମମତା ଓ ନୀତିଶଙ୍କୁ ବସାଇବାରେ ସଫଳ ହେବାକୁ ଯାଉଛନ୍ତି । ଯାହାକି ଜାତୀୟ ରାଜନୀତିକୁ ବଡ ବାର୍ତା ଦେବାକୁ ଯାଉଛି । କାରଣ ଦୀର୍ଘ ସମୟ ଧରି ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଥିଲେ । ଆଗକୁ ରହିଛି ପଶ୍ଚିମବଙ୍ଗ ଓ ବିହାର ବିଧାନସଭା ନିର୍ବାଚନ । ତା ସହିତ ଓଡିଶାରେ ୪ ରାଜ୍ୟସଭା ଆସନ ପାଇଁ ବି ନିର୍ବାଚନ ହେବ ।

ଏସବୁକୁ ଦେଖିଲେ ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମମତା ଓ ନୀତିଶଙ୍କ ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିବା ରାଜନୈତିକ ଚର୍ଚାକୁ ଜୋର କରିଛି । ତେବେ ନବୀନଙ୍କ ସହିତ ଶାହା, ମମତା ଓ ନୀତିଶଙ୍କ ଗୋଟିଏ ଟେବୁଲରେ ଏକାଠି ହେବା ଘଟଣାକୁ ଔପଚାରିକତା ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।