ଶାହଙ୍କ ଓଡିଶା ଗସ୍ତକୁ ନେଇ ତେଜିଲା ରାଜନୀତି: କଂଗ୍ରେସ କହିଲା, ଦିଲ୍ଲାରେ ହିଂସାକାଣ୍ଡ ବେଳେ ଗୃହମନ୍ତ୍ରୀ ଆଇନ ଶୃଙ୍ଖଳା ନସୁଧାରି କାହିଁକି ଆସୁଛନ୍ତି ଓଡିଶା

୨ ଦିନିଆ ଗସ୍ତରେ ଆସି ଜନତା ମୈଦାନରେ ସିଏଏ ସପକ୍ଷରେ ଉଦବୋଧନ ଦେବେ ଅମିତ ଶାହ

499

କନକ ବ୍ୟୁରୋ: ଆସନ୍ତାକାଲି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ଲୋକସେବା ଭବନରେ ହେବାକୁ ଥିବା ପୂର୍ବାଚଂଳ ଆଂଚଳିକ କମିଟି ବୈଠକରେ ସାମିଲ ହୋଇ ନକ୍ସଲବାଦ, କେନ୍ଦ୍ରୀୟ ଅନୁଦାନ ଓ ବ୍ୟାଙ୍କି ସେକ୍ଟର ସଂପର୍କରେ ଆଲୋଚନା କରିବେ ଅମିତ ଶାହ । ଓଡିଶା, ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଉପସ୍ଥିତରେ ଆଲୋଚନା କରାଯିବ ।  ଏହାପରେ ବିଜେପିର ସିଏଏ ସମର୍ଥନ ରାଲିରେ ସାମିଲ ହୋଇ ଜନତା ମୈଦାନରେ ସିଏଏ ସପକ୍ଷରେ ଉଦବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ଦିଲ୍ଲାରେ ହିଂସାକାଣ୍ଡ ବେଳେ ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ଯୋର ଧରିଛି । ଦିଲ୍ଲୀରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନସୁଧାରି ଅମିତ ଶାହ କାହିଁକି ଓଡିଶା ଆସୁଛନ୍ତି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି । ଏହାର କଡା ଜବାବ ରଖିଛି ବିଜେପି ।

ତେବେ ଶାହଙ୍କ ଦୁଇ ଦିନିଆ ଗସ୍ତରେ ଆସନ୍ତାକାଲି ସକାଳ ୧୦ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ପହଂଚିବେ । ପ୍ରଥମେ ରାଜ୍ୟ ଲୋକସେବା ଭବନରେ ହେବାକୁ ଥିବା ପୂର୍ବାଚଂଳ ଆଂଚଳିକ କମିଟି ବୈଠକରେ ସାମିଲ ହୋଇ ନକ୍ସଲବାଦ, କେନ୍ଦ୍ରୀୟ ଅନୁଦାନ ଓ ବ୍ୟାଙ୍କିଂ ସେକ୍ଟର ସଂପର୍କରେ ଆଲୋଚନା କରିବେ । ଏହାପରେ ଦିନ ୨ଟା ବେଳେ ଜନତା ମଇଦାନରେ CAA ଓ NRCକୁ ନେଇ ଆୟୋଜିତ ସଭାରେ ଯୋଗ ଦେଇ ଲୋକମାନଙ୍କୁ ସଚେତନ କରିବେ ।

ଏହା ପରେ ସଂଧ୍ୟା ୬ଟାରେ ମେ ଫେୟାର ହୋଟେଲ ରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ପୁରୀ ଗସ୍ତରେ ଯିବେ ଅମିତ ଶାହ । ତେବେ ପୁରୀରେ ଶାହଙ୍କ ରାତ୍ରୀ ରହଣୀ କାର୍ଯ୍ୟକ୍ରମ ରହିଛି । ଏହାପରେ ପରଦିନ ସକାଳେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ ସାରି ଭୁବନେଶ୍ୱରରେ ପହଁଞ୍ଚି ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଅପରାହ୍ନରେ ଭୁବନେଶ୍ବରରେ ଏକ ଘରୋଇ ମେଡିକାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ଦିଲ୍ଲୀ ଫେରିଯିବେ ଗୃହମନ୍ତ୍ରୀ ଅମିତ ଶାହ ।