ପଶ୍ଚିମବଙ୍ଗରେ ହାଇଭୋଲଟେଜ ରାଜନୈତିକ ଡ୍ରାମା । ମିଶନ୍ ୨୦୦ର ଟାର୍ଗେଟ ଦେଲେ ଅମିତ ଶାହା, ମେଦିନାପୁର ଜନସଭାରେ ମମତାଙ୍କ ଉପରେ ବର୍ଷିଲେ ବିଜେପିର ଚାଣକ୍ୟ । 

81

କନକ ବ୍ୟୁରୋ: ଦିଦିଙ୍କ ଗଡରେ ଧସେଇ ପଶିବାକୁ ପ୍ରୟାସ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗ ଗସ୍ତ କରି ବିଶାଳ ରୋଡଶୋ କରିଛନ୍ତି । ଜନସଭାରେ ମିଶନ ଦୁଇ ଶହ ପ୍ଲସ ନାରା ଦେଇ ମମତାଙ୍କୁ ଉପାଡି ଫୋପାଡି ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା । ଏଥିସହ ନିକଟରେ ଦିଦିଙ୍କ ହାତ ଛାଡିଥିବା ତୃଣମୂଳ କଂଗ୍ରେସର  ନେତାମାନେ ଆଜି ମୋଦିଙ୍କ ହାତ ଧରିଛନ୍ତି ।

ଅମିତ ଶାହାଙ୍କ ମିଶନ ବଙ୍ଗାଲ । ମେଦିନାପୁରରେ ରାଲି କରୁଥିବା ସମୟରେ ଆଜି ଯେଉଁ ରାଜନୀତିର ରୋଚକ ଦୃଶ୍ୟଟି ଦେଖିବାକୁ ମିଳିଥିଲା ତା ହେଉଛି ବିଜେପିରେ ତୃଣମୂଳ କଂଗ୍ରେସ ଛାଡିଥିବା ନେତାଙ୍କ ମିଶ୍ରଣ । ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ବିଦ୍ରୋହୀ ନେତା ଶୁଭେନ୍ଦୁ ଅଧିକାରୀ ।

ତୃଣମୂଳ କଂଗ୍ରେସ ଛାଡି ଅନେକ ଦଳୀୟ ନେତାଙ୍କୁ ବିଜେପିରେ ସାମିଲ କରିବାରେ ବେଶ ଗୁରୁଦାୟିତ୍ୱ ବହନ କରିଥିଲେ ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁଙ୍କ ଅଭିଯୋଗ ଥିଲା, ଦଳ ଦୁର୍ନୀତିଗ୍ରସ୍ତ ହୋଇଛି । ଦଳୀୟ କନ୍ଦଳ ଜୋରସୋରରେ ଚାଲିଛି । ତୃଣମୂଳ କଂଗ୍ରେସର ୬ଜଣ ବିଧାୟକ ଏବଂ ବାମଦଳ, କଂଗ୍ରେସରୁ ୪ ଜଣ ବିଧାୟକ ବିଜେପିରେ ମିଶିଥିଲେ ।

ତୃଣମୂଳ କଂଗ୍ରେସର ଏହି ବିଦ୍ରୋହୀ ବିଧାୟକମାନଙ୍କୁ ମେଦିନାପୁର ର୍ୟାଲି ଅବସରରେ ସ୍ୱାଗତ କରିଛନ୍ତି ଦଳର ବରିଷ୍ଠ ନେତା ଅମିତ ଶାହା । ଶାହା ସିଧା ସିଧା ମମତାଙ୍କୁ ଟାର୍ଗେଟ କରିଛନ୍ତି । ଅମିତ ଶାହାଙ୍କ ପ୍ରଶ୍ନ ହେଉଛି, ଏତେ ସଂଖ୍ୟାରେ ନେତା କାହିଁକି ତୃଣମୂଳ କଂଗ୍ରେସ ଛାଡୁଛନ୍ତି । କାରଣ ଦଳ ଭିତରେ କୁଶାସନ ଚାଲିଛି, ଦୁର୍ନୀତି ବଢିଛି । ଏହା ଆରମ୍ଭ ମାତ୍ର । ନିର୍ବାଚନ ବେଳକୁ ତୁମେ ଏକୁଟିଆ ହିଁ ଦଳରେ ରହିଥିବ ବୋଲି ଦୃଢୋକ୍ତି ବାଢିଥିଲେ ଅମିତ ଶାହା ।

ଶାହାଙ୍କ ବେଙ୍ଗଲ ଗସ୍ତର ଫୋକସରେ ଥିଲା ବେଙ୍ଗଲି ଲୋକଙ୍କ ହୃଦୟକୁ ଛୁଇଁବା । ସୋଥିପାଇଁ ବିବେକାନନ୍ଦଙ୍କ ଜନ୍ମସ୍ଥାନ, ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଏବଂ ଖୁଦିରାମଙ୍କ ବଂଶଜଙ୍କୁ ସମ୍ମାନ ସହିତ ରାମପ୍ରସାଦ ବିସମିଲଙ୍କ ବଳିଦାନର ଉଦାହରଣ ଦେଇଥିଲେ ଶାହା ।

ମମତା ଯେତେବେଳେ ବି ଆକ୍ରମଣ କରିଛନ୍ତି ବିଜେପିର ନେତାଙ୍କୁ ବାହାର ଲୋକ କହି ଆକ୍ଷେପ କରିଛନ୍ତି । ଏହି ଆକ୍ଷେପକୁ କାଉଁଟର କରିବା ପାଇଁ ଶାହା ଖେଳିଛନ୍ତି ବେଙ୍ଗଲି କାର୍ଡ । ବେଙ୍ଗଲରେ ବେଙ୍ଗଲି ଲୋକଙ୍କ ଆତ୍ମାକୁ ଧରି ବିଜେପିକୁ ୨୦୨୧ ବିଧାନସଭା ନିର୍ବାଚନ ବୈତରଣୀ ପାର ହେବାକୁ ଦିଗ ଦେଖାଇଛନ୍ତି ଶାହା ।

ପଶ୍ଚିମ ମେଦିନାପୁରର ଜଣେ ଚାଷୀଙ୍କ ଘରେ ଶାହା ଖାଇଲେ ମଧ୍ୟାହ୍ନ ଭୋଜନ । ତଳେ ବସିଥିଲେ ଏବଂ ଆଗରେ ପରସା ହୋଇଥିଲା ଘର ରନ୍ଧା ଖାଇବା  । ବିଜେପି ଏହା ମାଧ୍ୟମରେ ତ୍ରୁଣମୂଳସ୍ତରର ଲୋକଙ୍କ ପାଖରେ କିପରି ପହଂଚୁଛି ତାର ଉଦାହରଣ ବୟାନ କରୁଥିଲା ଏହି ଦୃଶ୍ୟ । ଗୋଟିଏ ପଟେ ଚାଲିଥିଲା ରାଜନୈତିକ ମିଶ୍ରଣ ଆଉ ଗୋଟେ ପରେ ଭୋଟ ରାଜନୀତିକୁ ଭୁଲିନଥିଲା ବିଜେପି । ମୋଦି-ଦିଦିଙ୍କ ଲଢେଇ ଭିତରେ ଶାହାଙ୍କ ରଣନୀତି, ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି ।