୧୨୦ରୁ ଅଧିକ ଆସନରେ ଜିତିବ ବିଜେପି, ଦମ୍ଭ ଦେଖାଇଲେ ବିଜେପି ଚାଣକ୍ୟ ଅମିତ ଶାହା । ନବୀନ କହିଲେ , ମିଶନ ୧୨୦ କେବଳ ଅତିରଂଜନ

28

କନକ ବ୍ୟୁରୋ : ବିଜେପିର ବଲାଙ୍ଗୀର ଯୁବ ସମାବେଶରେ ପୁଣି ମିଶନ୍ ୧୨୦ର ନାରା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ନବୀନ ସରକାରଙ୍କ ଉପରେ ବର୍ଷିବା ସହ ପରିବର୍ତନ ପାଇଁ ଆହ୍ୱାନ ଦେଇଛନ୍ତି । ବିଜେପିର ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯାଇ କହିଛନ୍ତି-ତ୍ରିପୁରାଠୁ ବଡ ବିଜୟ ଦେଖିବ ଓଡ଼ିଶା । ଏପେଟ କିନ୍ତୁ ଅମିତ ଶାହାଙ୍କ ଏହି ଦମ୍ଭୋକ୍ତିକୁ ଅତିରଂଜନ କହି ବାଏଁ ବାଏଁ ଉଡାଇ ଦେଇଛନ୍ତି ବିଜେଡି ସୁପ୍ରିମୋ ।

amit saha criticized naveenନବୀନ ସରକାରଙ୍କୁ ଓପାଡି ଫିଙ୍ଗି ଦେବା ସହ ପୁଣି ମିଶନ୍ ୧୨୦ର ନାରା ଦୋହରାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବଲାଙ୍ଗୀର ସମାବେଶରେ ଆଉ ଗୋଟିଏ ପାଦ ଆଗକୁ ବଢ଼ି କହିଛନ୍ତି-୧୨୦ରୁ ଅଧିକ ଆସନ ଜିତିବ ଭାରତୀୟ ଜନତା ପାର୍ଟି । ଆଉ ଏହା ଜଳ ଜଳ କରି ଦେଖାଯାଉଛି । ଗତକାଲି ମିଶନ ୧୨୦ ନେଇ ମୁହଁ ଖୋଲି ନଥିବା ଅମିତ ଆଜି ୧୨୦ରୁ ଅଧିକ ଆସନ ଜିତିବା ପାଇଁ ଦୃଢୋକ୍ତି ଦେଖାଇଛନ୍ତି ।

ଏହାଛଡା ରାଜ୍ୟର ବିଜେଡି ସରକାରଙ୍କ ଉପରେ ବର୍ଷିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୁରଣ କରିବାରେ ନବୀନ ସରକାର ବିଫଳ ହୋଇଥିବା ଅମିତ ଶାହା ଅଭିଯୋଗ କରିଛନ୍ତି । ପରିବର୍ତନର ନାରା ଦେବା ସହ ତ୍ରିପୁରାଠୁ ବଡ ବିଜୟ ଓଡ଼ିଶା ଦେଖିବ ବୋଲି ଅମିତ ଶାହା କହିଛନ୍ତି । ବିଜେପି ରାଷ୍ଟୀୟ ଅଧ୍ୟକ୍ଷଙ୍କ ସ୍ୱରରେ ତାଳ ମିଶାଇ ମିଶାଇ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ।

ଠିକ୍ ଅମିତ ଶାହାଙ୍କ ଶୈଳୀରେ ଜୁଏଲ ନବୀନ ସରକାରଙ୍କୁ ଓପାଡି ଫିଙ୍ଗି ଦେବାର ଆହ୍ୱାନ ଦେଇଛନ୍ତି । ଏପଟେ କିନ୍ତୁ ଅମିତ ଶାହାଙ୍କ ମିଶନ୍ ୧୨୦ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି-ଏହା କେବଳ ଅତିରଂଜନ । ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତୀବ୍ର ହେଉଛି ରାଜନୈତିକ ବୟାନବାଜୀ । ଆଉ ଏହାରି ଭିତରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ହେଉଛି ରାଜନୈତିକ ପ୍ରତିଦ୍ୱନ୍ଦିତା ।