ଭବାନୀପାଟଣାରେ ବିଜେଡି ସରକାର ଉପରେ ବର୍ଷିଲେ ଶାହା ! ମୋଦିଙ୍କ ବିଜୟ ରଥରେ ସାମିଲ ହେବାକୁ ଦେଲେ ଆହ୍ୱାନ

64

କନକ ବ୍ୟୁରୋ : ନବୀନ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅମିତ ଆଜି କଳାହାଣ୍ଡିର ଭବାନୀପାଟଣାରେ ଏକ ସାଧାରଣ ସଭାରେ ଓଡ଼ିଶାର ବିକାଶକୁ ନେଇ ରାଜ୍ୟ ସରକାରଙ୍କ ଆଗରେ ପ୍ରଶ୍ନର ପାହାଡ ଛିଡା କରିଛନ୍ତି । ୧୮ ବର୍ଷ ଧରି ନବୀନ ସରକାର ଓଡ଼ିଶାକୁ ଶାସନ କରୁଥିଲେ ସୁଦ୍ଧା ବିକାଶର ଚିହ୍ନ ବର୍ଣ୍ଣ ନଥିବା କହିଛନ୍ତି ଅମିତ । ଓଡ଼ିଆ ଭାଷା ଓ ଓଡ଼ିଶା ଲୋକଙ୍କ ସମସ୍ୟା ବୁଝି ପାରୁଥିବା ଶାସକ ଓଡ଼ିଶାକୁ ଆବଶ୍ୟକ । ଓଡ଼ିଶାରେ ସବୁ କିଛି ଅଛି, କିନ୍ତୁ ଜଣେ ଭଲ ଶାସକ ଆବଶ୍ୟକ । ଯାହା ନବୀନ ସରକାର କରି ପାରିନାହିଁ ତାହା ବିଜେପି ସରକାର ଆସିଲେ କରିବ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ।

ଭବାନୀପାଟଣା ସଭାରେ ଅମିତ ଯୋଗ ଦେଇ ଅପାରଗ ନବୀନ ସରକାରକୁ ଉପାଡି ଫିଙ୍ଗି ଦେବାକୁ କର୍ମୀ ମାନଙ୍କୁ ଆହ୍ୱାନ କରିଛନ୍ତି । ଏହାଛଡା ୪୫ ଡିଗ୍ରୀ ଖରାରେ ଏତେ ସଂଖ୍ୟକ ଭିଡ ଦେଖି ଓଡ଼ିଶାରେ ଆଗାମୀ ସରକାର ବିଜେପି ସରକାର ହେବ ବୋଲି କହିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ଏହାସହ ନବୀନ ଦୀର୍ଘ ୧୮ ବର୍ଷ ମଧ୍ୟରେ ଯାହା କରି ନାହାନ୍ତି ତାହାକୁ ବିଜେପି ସରକାର ଆସିଲେ ପୂରଣ କରିବ । ଏଭଳି କିଛି ରଙ୍ଗୀନ ସ୍ୱପ୍ନ ଦେଖାଇଛନ୍ତି ବିଜେପି ଅଧ୍ୟକ୍ଷ । ଏବେ ପୂରା ଦେଶରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗାଁ ଗାଁରେ ଯେଉଁ ବିକାଶର ରଥ ଦୌଡୁଛି ସେଥିରେ ଓଡ଼ିଶାକୁ ସାମିଲ କରିବାକୁ କର୍ମୀଙ୍କ ଆହ୍ୱାନ ଦେଇଛନ୍ତି ଅମିତ ଶାହା ।

amit-vs naveenଓଡ଼ିଶାରେ ୧୮ ବର୍ଷ ଧରି ନବୀନ ସରକାର ଥିବା ସତ୍ତେ୍ୱ ମଧ୍ୟ ବିକାଶ ହୋଇପାରିନାହିଁ । ବିଦ୍ୟୁତ, ପାନୀୟ ଜଳ ଓ ସଡକ ଭଳି ସୁବିଧାରୁ ଆଜି ବି ଓଡ଼ିଶାର ଅଧିକାଂଶ ଲୋକ ବଞ୍ଚିତ । ତେଣୁ ନବୀନ ସରକାର ଏହି ସୁବିଧା ପୂରଣ କରନ୍ତୁ ବା ନ କରନ୍ତୁ କିନ୍ତୁ ମୋଦି ସରକାର ଏଥିପାଇଁ ଅଣ୍ଟା ଭିଡି ସାରିଲେଣି । ଏହାଛଡା ଦେଶର ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ରାଜ୍ୟର ଗୋଟିଏ ବି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ନ ପାଇବା ନବୀନ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ଏପରିକି କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ଯେତିକି ଟଙ୍କା ଦେଉଛନ୍ତି ତାହାକୁ ଠିକ୍ ଭାବରେ ଖର୍ଚ୍ଚ କରି ପାରୁନାହାନ୍ତି ରାଜ୍ୟ ସରକାର । ଏଭଳି ଅନେକ ପ୍ରସଙ୍ଗରେ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ ଅମିତ ।

Naveen and Amitକେବଳ ବିଜେଡି ନୁହେଁ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ଅମିତ ଶାହା । ଏସସି/ଏସଟି ଆକ୍ଟ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଦେଖାଦେଇଥିବା ହିଂସା ପାଇଁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳକୁ ଦାୟୀ କରିଛନ୍ତି ଅମିତ । ଆରକ୍ଷଣ ନେଇ ବିଜେପି ବିରୋଧରେ ଯେଉଁ ଗୁଜବ ସୃଷ୍ଟି କରାଯାଉଛି ତାହା ଉପରେ ଅମିତ କହିଛନ୍ତି, ବିଜେପି ଆରକ୍ଷଣ ହଟାଇବ ନାହିଁ କି କାହାକୁ ଆରକ୍ଷଣ ହଟାଇ ବାକୁ ଦେବନି । ଏହାଛଡା ଯେଉଁଭଳି ଭାବେ ମୋଦିଙ୍କ ନେତୃତ୍ୱରେ ବିକାଶର ରଥ ମାଡି ଚାଲିଛି ସେଥିରେ ଓଡ଼ିଶାକୁ ସାମିଲ କରିବାକୂୁ ଅମିତ କର୍ମୀଙ୍କୁ କହିଛନ୍ତି । ଅଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରତି ଗାଁରେ ଶୁଦ୍ଧ ପାଣି, ୨୪ ଘଣ୍ଟିଆ ବିଜୁଳି ଓ ପକ୍କା ଘର ଯୋଗାଇଦେବାକୁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ବିଜେପି ଅଧ୍ୟକ୍ଷ କହିଛନ୍ତି ।