କନକ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦରୁ ଅବସର ନେଇପାରନ୍ତି । ପୂର୍ବତନ କ୍ରିକେଟର ରୋଜର ବିନ୍ନି ୧୮ ଅକ୍ଟୋବରକୁ ଔପଚାରିକ ଭାବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ । ବର୍ତ୍ତମାନ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୌରଭ ଗାଙ୍ଗୁଲିଙ୍କୁ ପ୍ରଶଂସା କରିବା ସହ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି କି, ସୌରଭ ଗାଙ୍ଗୁଲି ଆମର ଗର୍ବ । ସେ ଜଣେ ଦକ୍ଷ ପ୍ରଶାସକ ମଧ୍ୟ ରହିଛନ୍ତି । ଅମିତ ଶାହାଙ୍କ ପୁଅ ବିସିସିଆଇରେ ରହିଛନ୍ତି, ହେଲେ ସୌରଭ ଗାଙ୍ଗୁଲିଙ୍କୁ ହଟାଇ ଦିଆଗଲା । ଆମେ ଜାଣିବାକୁ ଚାହୁଁଛୁ ଏହାର କାରଣ କଣ?
ଏହାସହ ମମତା ଆହୁରି ମଧ୍ୟ କହିଛନ୍ତି, ଦାଦାଙ୍କୁ ବିସିସିଆଇରୁ ହଟାଇବାର କ୍ଷତି ତାଙ୍କୁ ଆଇସିସିକୁ ପଠାଇ ଆମେ କରିପାରିବା । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପିଲ କରୁଛି ସେ ଦାଦାଙ୍କୁ ଆଇସିସି ପଠାଇବାକୁ ସୁନିଶ୍ଚିତ କରନ୍ତୁ । ସେ ହେଉଛନ୍ତି ଆମ ଗର୍ବ । ସେ କୌଣସି ରାଜନୈତିକ ଦଳର ସଦସ୍ୟ ନୁହେଁ ତେଣୁ ତାଙ୍କୁ ନେଇ ରାଜନୈତିକ ସ୍ତରରେ କୌଣସି ନିଷ୍ପତ୍ତି ନନିଆଯାଉ ।
ସୌରଭ ଗାଙ୍ଗୁଲି ୨୦୧୯ରେ ବିସିସିଆଇ ଅଧ୍ୟକ୍ଷ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଚଳିତ ଅକ୍ଟୋବରରେ ଶେଷ ହେବ । ସୂତ୍ର ଅନୁସାରେ ଗାଙ୍ଗୁଲିଙ୍କୁ ଆଇପିଏଲ ଚେୟାରମ୍ୟାନର ଅଫର ଦିଆଯାଇଥିଲା ହେଲେ ସେ ଏହାକୁ ମନା କରିଦେଇଥିଲେ । ଏବେ ପୁଣି ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନକୁ ଫେରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ସେ ବେଙ୍ଗଲ କ୍ରିକେଟ ଆସୋସିଏସନ ନିର୍ବାଚନ ଲଢିବାକୁ ଯାଉଛନ୍ତି । ପୂର୍ବରୁ ମଧ୍ୟ ଗାଙ୍ଗୁଲି ସିଏବିର ଅଧ୍ୟକ୍ଷ ପଦ ସମ୍ଭାଳି ସାରିଛନ୍ତି ।
Follow Us