କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଂଟ ହେବ କି ନାହିଁ? ଯଦି ହେବ କେଉଁ ଦଳ କେତେ ଆସନରେ ଲଢ଼ିବେ? କେଉଁଠୁ ବିଜେଡି ପ୍ରାର୍ଥୀ ଲଢ଼ିବେ, କେଉଁଠୁ ବିଜେପି ପ୍ରାର୍ଥୀ ଲଢ଼ିବେ? ଏସବୁକୁ ନେଇ ସସପେନ୍ସ ଲାଗି ରହିଛି । ନେତା ଓ କର୍ମୀ ମେଂଟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏହାରି ଭିତରେ ଉଭୟ ବିଜେଡି ଓ ବିଜେପିର ଶୀର୍ଷ ନେତାଙ୍କ ବୟାନ ମେଂଟ ସସପେନ୍ସକୁ ଆହୁରି ବଢ଼ାଇ ଦେଇଛି । ..

ବିଜେଡି-ବିଜେପି ମେଂଟକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ, ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇ, ବିଜେଡି ବିଜେପି ମେଂଟ ସମ୍ପର୍କରେ ସେ ବଡ ବୟାନ ଦେଇଛନ୍ତି । ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ନପକାଇ, ଶାହା ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଛାଡି ଦେଇଛନ୍ତି । କହିଛନ୍ତି, ଓଡିଶାରେ ମେଂଟ ହେବ କି ନାହିଁ ସେ ନେଇ କିଛି ଚୂଡାନ୍ତ ହୋଇନି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ନିଷ୍ପତି ନେବେ । ତେବେ ଏହା ନିଶ୍ଚିତ ଯେ ଓଡିଶାରେ ବିଜେପିର ସ୍ଥିତି ସୁଦୃଢ଼ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅଛି ।

ମେଂଟ ସମ୍ପର୍କୀତ ଆଉ ଏକ ପ୍ରଶ୍ନର ଉତର ଦେଇ ସସପେନ୍ସକୁ ଆହୁରି ବଢ଼ାଇ ଦେଇଛନ୍ତି । କହିଛନ୍ତି, ଓଡିଶାରେ କିଛି ବି ହୋଇପାରେ । ମେଂଟ ହେଲେ, ଏକାଠି ଲଢ଼ିବୁ । ଆଉ ମେଂଟ ନହେଲେ, ଏକାକୀ ଲଢ଼ିବୁ । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ । ଏକାକୀ ଲଢ଼ିଲେ ବି ସରକାର ଗଠନ କରିବା ପାଇଁ ଲଢ଼ିବୁ । ତେଣୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ବହୁତ ଭଲ ହେବ । ମେଂଟ ଚର୍ଚ୍ଚାକୁ ନେଇ ଶାହାଙ୍କ ବୟାନ ପରେ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମେଂଟ ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି ।

ମଂଗଳବାର ଭିକେ ପାଣ୍ଡିଆନ ମଧ୍ୟ ସେହି ଗଣମାଧ୍ୟମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେଂଟ ଚର୍ଚ୍ଚାକୁ ଖଣ୍ଡନ କରିନଥିଲେ । କହିଥିଲେ, କେନ୍ଦ୍ରରେ ଯେମିତି ବିଜେପି ସରକାର ଗଢ଼ିବା ପାଇଁ କାହାରି ସହ ମେଂଟ କରିବା ଆବଶ୍ୟକତା ନାହିଁ । ଠିକ୍ ସେମିତି ଓଡିଶାରେ ବିଜେଡି ସରକାର ଗଢ଼ିବା ପାଇଁ କାହା ସହ ମେଂଟ କରିବା ଆବଶ୍ୟକ ନାହିଁ । କିନ୍ତୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୋଦୀ-ନବୀନ ଏକାଠି ହୋଇପାରନ୍ତି । ବିଜେଡି-ବିଜେପିର ବଡ ନେତାଙ୍କ ଏଭଳି ବୟାନ ମେଂଟ ସମୀକରଣକୁ ସତେଜ କରି ରଖିଛି ।