ବିହାର ପରେ ବିଜେପିର ମିଶନ ତାମିଲନାଡୁ । ଦୁଇ ଦିନିଆ ଗସ୍ତରେ ବିଜେପି ଚାଣକ୍ୟ ଅମିତ ଶାହା । ଆଲାଗିରିଙ୍କ ସହ ରହିଛି ସାକ୍ଷାତ କାର୍ଯ୍ୟକ୍ରମ

159

କନକ ବ୍ୟୁରୋ : ବିହାର ନିର୍ବାଚନରେ ଏନଡିଏ ମେଣ୍ଟର ସଫଳତା ପରେ ଏବେ ବିଜେପି ଫୋକସରେ ପଶ୍ଚିମବଙ୍ଗ ଓ ତାମିଲନାଡୁ । ବିହାର ନିର୍ବାଚନ ବେଳେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କରୋନାରେ ପିଡୀତ ଥିବାରୁ ନିର୍ବାଚନ ରାଲିରେ ସାମିଲ ହୋଇପାରି ନଥିଲେ । ମାତ୍ର ସେ ସୁସ୍ଥ ହେବା ପରେ ଘନ ଘନ ପଶ୍ଚିମବଙ୍ଗ ଓ ତାମିଲନାଡୁ ଗସ୍ତ କରୁଛନ୍ତି । ଏହି କ୍ରମରେ ସେ ଦୁଇଦିନିଆ ଗସ୍ତରେ ଯାଇ ଆଜି ତାମିଲନାଡୁରେ ପହଂଚିଛନ୍ତି । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପହଂଚିବା ପରେ ସେଠାରେ ସେ କେନ୍ଦ୍ରସରକାରଙ୍କର ବିଭିନ୍ନ ବିକାଶମୂଳକ ପରିଯୋଜନାର ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି । ଏହାସହ ତାମିଲନାଡୁର ବିଜେପି ପ୍ରତିନିଧି ଓ ଏଆଇଏଡିଏମ୍‌କେର କିଛି ବରିଷ୍ଠ ନେତାଙ୍କୂୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ବି ରହିଛି ।

ନିର୍ବାଚନ ପୂର୍ବରୁ ଶାହାଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ ତାମିଲନାଡୁରେ ଆସନ୍ତା ବର୍ଷ ମେ ମାସରେ ବିଧାନସଭା ନିର୍ବାଚନ ରହିଛି । ଏହି ବିଧାନସଭା ନିର୍ବାଚନରେ ବିଜେପି ଏଆଇଏଡିଏମକେ ସହ ମେଣ୍ଟ କରିବ ବୋଲି ଜଣାପଡିଛି । ଏହି ଗସ୍ତ ସମୟରେ ଶ୍ରୀ ଶାହା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ପୁଅ ତଥା ଏଆଇଏଡିଏମ୍‌କେର ମୁଖ୍ୟ ଏମ୍ କେ ଷ୍ଟାଲିନ୍‌ଙ୍କ ବଡଭାଇ ଏମ୍ ଆଲାଗିରିଙ୍କ ସହ ସାକ୍ଷାତ କରିପାରନ୍ତି । ଆଲାଗିରିଙ୍କ ରାଜନୈତିକ ଦଳ କେଡିଏମ୍‌କେ ସହ ମେଣ୍ଟ ନେଇ ବି ଆଲୋଚନା ହୋଇପାରେ । ଏହା ପୂର୍ବରୁ କେଡିଏମ୍‌କେ ଡିଏମକେ ସହ ମିଶି ସରକାର କରିଥିଲେ । ହେଲେ ଏବେର ସ୍ଥିତି ମୁତାବକ ଆଲାଗିରି ଡିଏମକେରୁ ମୁହଁ ଫେରାଇ ନେଇଛନ୍ତି ।