କନକ ବ୍ୟୁରୋ : ଗ୍ରେଟ୍ ବ୍ରିଟେନ୍ ବିପକ୍ଷ କ୍ବାର୍ଟରଫାଇନାଲ୍ ଜିତିବା ଭାରତୀୟ ହକି ଦଳକୁ ଯେତେ ଖୁସି ଦେଇଛି, ତା’ଠୁ ଅଧିକ ଝଟକା ଲାଗିଛି ଅମିତ୍ ରୋହିଦାସଙ୍କ ଉପରେ ଲାଗିଥିବା ନିଲମ୍ବନ। ମଙ୍ଗଳବାର ସେମିଫାଇନାଲ୍ ମୁକାବିଲାରେ ଦେଖିବାକୁ ମିଳିବନି ଅମିତଙ୍କ ଜଲୱା। ଓଡ଼ିଆ ଖେଳାଳିଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲଗାଇଛି ଅନ୍ତର୍ଜାତୀୟ ହକି ସଂଘ। ଫଳରେ ଜର୍ମାନୀ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିପାରିବେନି ଏହି ଷ୍ଟାର ଡିଫେଣ୍ଡର।
ବଡ଼ କଥା ହେଉଛି ଫିଲ୍ଡ ଅମ୍ପାୟାର ଘଟଣାକୁ ଗୁରୁତ୍ବର ସହ ନେଇନଥିଲେ। ଏପରିକି ସେ ଏହାକୁ ଅଣଦେଖା କରିବାକୁ ଚାହୁଁଥିଲେ। କିନ୍ତୁ ବ୍ରିଟେନ୍ ଖେଳାଳି ଭିଡିଓ ରେଫରାଲ ପାଇଁ ଅପିଲ କରିଥିଲେ। ଯାହା ପରେ ଅମିତଙ୍କୁ ରେଡ୍ କାର୍ଡ ମିଳିଥିଲା। ଅମିତଙ୍କ ଅନୁପସ୍ଥିତି ଯୋଗୁଁ ଭାରତ ଶେଷ ପାଖାପାଖି ୪୦ ମିନିଟ୍ ୧୦ ଜଣ ଖେଳାଳିରେ ଖେଳିଥିଲା। ଅମିତଙ୍କ ନିଲମ୍ବନ ପରେ ଦୁର୍ବଳ ଅମ୍ପାୟାରିଂକୁ ଦାୟୀ କରିଛି ହକି ଇଣ୍ଡିଆ।
ସେପଟେ ଅଲିମ୍ପିକ୍ସରେ ପୁଣିଥରେ ଜର୍ମାନୀକୁ ଭେଟିବ ଭାରତ। ଟୋକିଓରେ ବ୍ରୋଞ୍ଜ ପଦକ ମୁକାବିଲାରେ ଜର୍ମାନୀକୁ ୫-୪ ଗୋଲରେ ହରାଇଥିଲା ଭାରତ। ଯଦି ରେକର୍ଡ ଉପରେ ନଜର ପକାଇବା, ତାହେଲେ ଉଭୟ ଦେଶ ମଧ୍ୟରେ ୧୮ ମ୍ୟାଚ୍ ଖେଳାଯାଇଛି। ଭାରତ ୮ଟି ଏବଂ ଜର୍ମାନୀ ୬ଟି ମୁକାବିଲା ଜିତିଛି। ଏପରିକି ଶେଷ ୬ ମ୍ୟାଚରେ ୫ଟିରେ ଜର୍ମାନୀକୁ ହରାଇଛି ଭାରତ। ତେଣୁ ଜର୍ମାନୀ ବିପକ୍ଷ ସେମିଫାଇନାଲରେ ଭାରତର ପଲା ଭାରୀ ଥିବା କହିଛନ୍ତି ବିଶେଷଜ୍ଞ।