ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ଅମରିନ୍ଦର

239

କନକ ବ୍ୟୁରୋ : ନବଜୋତସିଂ ସିଦ୍ଧୁ ଆଜି ସମସ୍ତଙ୍କୁ ଚମକାଇ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଦଳୀୟ ପଦରୁ ଇସ୍ତଫା ଦେଇଥିବା କଥା ଲେଖିବା ସହ ସେ କଂଗ୍ରେସରେ ରହିବେ ବୋଲି ସୋନିଆଙ୍କୁ ଭରଶା ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି କି ମଣିଷ ଯେତେବେଳେ ବୁଝାମଣା କରିବାକୁ ପସନ୍ଦ କରେ ସେତେବେଳେ ତାର ପତନ ହୋଇଥାଏ “ମୁଁ କଂଗ୍ରେସର ଭବିଷ୍ୟତ ଓ ପଞ୍ଜାବବାସୀଙ୍କର ଭଲ ପାଇଁ କୌଣସି ବୁଝାମଣା କରିବାକୁ ଚାହୁଁନାହିଁ, ଏଥିପାଇଁ ମୁଁ ଦଳୀୟ ପଦରୁ ଇସ୍ତଫା ଦେଉଛି ।”

ସିଦ୍ଧୁଙ୍କ ଇସ୍ତଫା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି “ମୁଁ କହିଥିଲି କି ସିଦ୍ଧୁ ଜଣେ ସ୍ଥିର ବ୍ୟକ୍ତି ନୁହନ୍ତି ଓ ସେ ସୀମାନ୍ତ ରାଜ୍ୟ ପଞ୍ଜାବ ପାଇଁ ଉପଯୁକ୍ତ ନୁହଁନ୍ତି,” କହିରଖୁ କି ପାଖାପାଖି ୨ ମାସ ପୂର୍ବେ ଅମରିନ୍ଦରଙ୍କ ଅନିଚ୍ଛା ସତ୍ତେ୍ୱ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରେ ନିଯୁକ୍ତ କରିଥିଲେ ।

ଅନ୍ୟପଟେ ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁଁ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପରେ କହିଥିଲେ କି ଯଦି ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏହା ଦେଶପାଇଁ ବିପଦ ଆଣିବ । ଏହାସହ ସେ ସ୍ପଷ୍ଟ କରିଥିଲେ କି ଆଗାମୀ ବିଧାନସଭା ନିର୍ବାଚନରେ ସେ ସିଦ୍ଧୁଙ୍କ ବିରୋଧରେ ମଜବୁତ ପ୍ରାର୍ଥୀ ଦେବେ ।