କନକ ବ୍ୟୁରୋ : ତାମିଲନାଡୁରେ ଜଣେ ବାଇକ ଚାଳକଙ୍କୁ ପୁଲିସକର୍ମୀ ଅଟକାଇବା ସହ କରିବାକୁ କହିଥିବା କାମ ଆପଣଙ୍କ ମୁହଁ‌ରେ ହସ ଆଣିଦେବ ନିଶ୍ଚୟ। ସାଧାରଣତଃ ଭାବେ ରାସ୍ତାରେ କୌଣସି ନିୟମ ଉଲ୍ଲଂଘନ କଲେ ବା କୌଣସି ଅପରାଧ କରିଥିଲେ ହିଁ ପୁଲିସକର୍ମୀମାନେ ଅଟକାଇଥାନ୍ତି। କିନ୍ତୁ ତାମିଲନାଡୁରେ ଏହାର ଠିକ ଓଲଟା ଘଟିଛି। ତାମିଲନାଡୁରେ ଜଣେ ପୁଲିସକର୍ମୀ ରାସ୍ତାରେ ଯାଉଥିବା ବାଇକରଙ୍କୁ ଅଟକାଇ ଔଷଧ ପ୍ୟାକେଟ ଦେଇଥିଲେ। ଏଭଳି ହଠାତ୍ ଔଷଧ ପ୍ୟାକେଟ ଦେବା ପଛର କାରଣ ବିଷୟରେ ଜଣାଇଛନ୍ତି ୟୁଟ୍ୟୁବର ତଥା ବାଇକର ଆନି ଅରୁଣ।

Advertisment

ଅରୁଣଙ୍କ ମୁତାବକ, ସେ ପଣ୍ଡିଚେରୀରୁ ତାମିଲନାଡୁର ଟେନକାସୀକୁ ଯାତ୍ରା ଆରମ୍ଭ କରିଥିଲେ। ବାଟରେ ତାଙ୍କୁ ପୁଲିସକର୍ମୀ ଅଟକାଇବା ସହ ସେ କର୍ଣ୍ଣାଟକର ବାସିନ୍ଦା କି ନାହିଁ ପଚାରିଥିଲେ। ଅରୁଣ ହଁ ଭରିବା ପରେ ପୁଲିସକର୍ମୀ ତାଙ୍କ ହାତରେ ଏକ ଔଷଧ ପ୍ୟାକେଟ ଧରାଇଦେଇଥିଲେ ଏବଂ କହିଥିଲେ, ଆଗରେ ଏକ ବସ ଯାଉଛି। ସେଥିରେ ବସିଥିବା ଜଣେ ବୃଦ୍ଧା ତାଙ୍କର ଏହି ଔଷଧ ପ୍ୟାକେଟ ଛାଡ଼ି ଯାଇଛନ୍ତି। ତୁମେ ବସକୁ ପିଛା କରି ବୃଦ୍ଧାଙ୍କୁ ଏହି ଔଷଧ ଦେଇପାରିବ କି? ବୋଲି ପ୍ରଶ୍ନ କରିଥିଲେ ପୁଲିସକର୍ମୀ। ଏହା ଶୁଣି ଅରୁଣ ହଁ ଭରିବା ସହ ବସର ପିଛା କରି ବୃଦ୍ଧାଙ୍କୁ ଔଷଧ ଦେଇଥିଲେ। ପୂରା ଘଟଣାର ଭିଡିଓ ଅରୁଣ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହୋଇଛି।