ବିବାଦ ମଧ୍ୟରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ଯିବେ ମୁମ୍ବାଇ : ମଣ୍ଡିରୁ ବାହାରିଲେ ଚଣ୍ଡୀଗଡ; ମୁମ୍ବାଇକୁ ପିଓକେ କହିବା ପରେ ଦେଖାଦେଇଥିଲା ବିବାଦ

191

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ମୁହଁ ଖୋଲି ଚର୍ଚାରେ ଥିବା ବଲିଉଡ୍ ଅଭିନେତ୍ରା କଙ୍ଗନା ରଣାୱତଙ୍କର ଦ୍ୱିତୀୟ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ କଙ୍ଗନାଙ୍କର ମୁମ୍ୱାଇ ଆସିବା ରାସ୍ତା ସଫା ହୋଇ ଯାଇଛି । କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି କଙ୍ଗନା ମୁମ୍ୱାଇ ଆସୁଛନ୍ତି । ତେବେ ଗତକାଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କଙ୍ଗନାଙ୍କ ଡ୍ରଗ୍ସ ପରୀକ୍ଷା କରାଯିବା ନେଇ ମତ ରଖିଥିଲେ । କହିଥିଲେ ମହାରାଷ୍ଟ୍ର ପୋଲିସ ତାଙ୍କର ଡ୍ରଗ୍ସ ଟେଷ୍ଟ କରାଇବ । ଏହି କଥାକୁ ଟୁଇଟ୍ କରି ସେ ସ୍ୱାଗତ କରିଛନ୍ତି । କଙ୍ଗନା ନିଜ ଟୁଇଟରରେ ଅନୀଲ ଦେଶମୁଖଙ୍କୁ ଜବାବ ଦେବାକୁ ଯାଇ ଲେଖିଛନ୍ତି ତାଙ୍କର ଡ୍ରଗ୍ସ ଟେଷ୍ଟକୁ ସେ ମୁମ୍ୱାଇରେ ସ୍ୱାଗତ କରିବେ । ଯଦି ସେ ନିଶା ଗ୍ରହଣ କରୁଥିବାର ପ୍ରମାଣ ମିଳିଲା ତେବେ ସବୁଦିନ ପାଇଁ ମୁମ୍ୱାଇ ଛାଡି ଚାଲିଯିବେ ।

କଙ୍ଗନାଙ୍କ ମୁମ୍ୱାଇ ଗସ୍ତ ଆଗରୁ ଏହି ଟୁଇଟ୍ ଏବେ ନୂଆ ଚର୍ଚା ସୃଷ୍ଟି କରିଛି । ପୂର୍ବରୁ କଙ୍ଗନା ମୁମ୍ୱାଇକୁ ପିଓକେ ଏବଂ ମୁମ୍ୱାଇ ପୋଲିସକୁ ତାଲିବାନ୍ ସହିତ ତୁଳନା କରିବା ପରେ ତାଙ୍କୁ କଟାକ୍ଷ କରିଥିଲେ ଶିବସେନା ସାଂସଦ ସଂଜୟ ରାଉତ । ଯାହାର ଜବାବ ଦେଇ ସେ କହିଥିଲେ ମୁମ୍ୱାଇ କାହା ବାପାଙ୍କର ନୁହଁ । ଏହା ପରେ କଙ୍ଗନା ମୁମ୍ୱାଇରେ ନିଜକୁ ଅସୁରକ୍ଷିତ ମନେ କରିବା ନେଇ ଅଭିଯୋଗ ଆଣିବା ପରେ ତାଙ୍କୁ ୱାଇ ସିକୁରିଟି ପ୍ରଦାନ କରିଥିଲେ କେନ୍ଦ୍ର ସରକାର । ଆଜି ମଧ୍ୟାହ୍ନ ସାଢେ ୧୨ଟାରେ ଚଣ୍ଡିଗଡରୁ ମୁମ୍ୱାଇ ଆସିବେ କଙ୍ଗନା । ପ୍ରାୟ ୨ ଟାରେ ସେ ମୁମ୍ୱାଇରେ ପହଁଚିବା ସୂଚନା ରହିଛି ।