ଅଧାରୁ ଅଟକିଲା ଅମରନାଥ ଯାତ୍ରା । ପର୍ଯ୍ୟଟକଙ୍କୁ ଘାଟି ଛାଡିବାକୁ ଆଡଭାଇଜରି ଜାରି, ସେପଟେ ବଢିଲା ସୁରକ୍ଷା ବ୍ୟବସ୍ଥା, ଅଧିକ ୨୮ହଜାର ଅର୍ଦ୍ଧ ସାମରିକ ବଳ ମୁତୟନ ।

185

କନକ ବ୍ୟୁରୋ : ଅଧାରୁ ଅଟକିଲା ଅମରନାଥ ଯାତ୍ରା । ଅମରନାଥ ଯାତ୍ରାରେ ସୁଡଙ୍ଗ ଓ ପାକିସ୍ତାନୀ ସ୍ନାଇପର ରାଇଫଲ ମିଳିବା ପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଅମରନାଥ ଯାତ୍ରାକୁ ରୋକା ଯାଇଛି । ଏପରିକି ଘାଟିରେ ଥିବା ସମସ୍ତ ପର୍ଯ୍ୟଟକଙ୍କୁ ଯାତ୍ରା ଅବଧି କମ୍ କରି ଫେରିଯିବାକୁ କୁହାଯାଇଛି । ସେପଟେ ଜମ୍ମୁକଶ୍ମୀରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ୨୮ ହଜାର କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଜାମ୍ମୁ-କାଶ୍ମୀରରେ ମୁତୟନ ହୋଇଛନ୍ତି । ଜମ୍ମୁକଶ୍ମୀର ପୁଲିସ ଏହାକୁ ରୁଟିନ ପ୍ରକ୍ରିୟା ବୋଲି କହିଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।

ଘାଟିରେ ବଢିଲା ସୁରକ୍ଷା । ଜାମ୍ମୁକଶ୍ମୀରରେ ମୁତୟନ ହେଲେ ଅତିରିକ୍ତ ଫୋର୍ସ । ଜାମ୍ମୁ-କାଶ୍ମୀରରେ ଅଚାନକ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଇଲେ ସରକାର । ଗତ ସପ୍ତାହରେ ଜାମ୍ମୁ-କାଶ୍ମୀରରେ ୧୦ ହଜାର ଅତିରିକ୍ତ ଅର୍ଦ୍ଧ ସାମରିକ ବଳଙ୍କୁ ମୁତୟନ କରାଯାଇଥିଲା । ଏବେ ପୁଣି ୨୮ ହଜାର ଅଧିକ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଜାମ୍ମୁ-କାଶ୍ମୀରରେ ମୁତୟନ ହୋଇଛନ୍ତି । ଗତ ୪ ଦିନରେ ପ୍ରାୟ ୨୮୦ କମ୍ପାନି ସିଆରପିଏଫ ଯବାନ ଘାଟିରେ ମୁତୟନ ହୋଇଥିବା ଜଣେ ଟପ୍ ଅଫିସିଆଲ କହିଛନ୍ତି । ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଆଗାମୀ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଥିବାବେଳେ ଆତଙ୍କବାଦୀ ହମଲା ନେଇ ଆଶଙ୍କା ମଧ୍ୟ କରାଯାଉଛି ।

ସେପଟେ ଅଧାରେ ଅଟକିଲା ବାବା ବର୍ଫାନୀଙ୍କ ଦର୍ଶନ । ଅମରନାଥ ଯାତ୍ରା ଉପରେ ଆକ୍ରମଣ ଆଶଙ୍କା । ଘାଟିରୁ ପର୍ଯ୍ୟଟକଙ୍କୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଆଡଭାଇଜରି ଜାରି କରିଛନ୍ତି ଜମ୍ମୁକଶ୍ମୀର ସରକାର । ଅମରନାଥ ଯାତ୍ରା ଉପରେ ବଡ ଧରଣର ଆକ୍ରମଣ ଆଶଙ୍କା କରି ଏହି ନିଷ୍ପତି ନିଆଯାଇଛି । ଜାମ୍ମୁକାଶ୍ମୀର ଗୃହ ବିଭାଗର ମୁଖ୍ୟ ସଚିବଙ୍କ ପକ୍ଷରୁ ଜାରି ସିକ୍ୟୁରିଟି ଆଡଭାଇଜରିରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଯାତ୍ରା ଅବଧି କମ୍ କରି ଫେରିଯିବାକୁ କୁହାଯାଇଛି । ଅମରନାଥ ଯାତ୍ରାରେ ବଡଧରଣର ଆକ୍ରମଣ ଆଶଙ୍କା ଥିବା ସିଆରପିଏଫ, ଜମ୍ମୁ ପୁଲିସ ଓ ସେନା ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅମରନାଥ ଯାତ୍ରା ମାର୍ଗରେ ବାରୁଦ ସୁଡଙ୍ଗ ଓ ପାକିସ୍ତାନୀ ସ୍ନାଇପର ରାଇଫଲ ମିଳିଛି ।

ସେପଟେ ଜାମ୍ମୁ-କାଶ୍ମୀର ସୋପିଆଁ ଜିଲ୍ଲାରେ ଏନକାଉଂଟର ହୋଇଛି । ଦକ୍ଷିଣ କାଶ୍ମୀରର ପାଣ୍ଡୁସାନ୍ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ପରେ ଗୁରୁବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିଲା ଅପରସେନ୍ । ଆତଙ୍କବାଦୀ ଲୁଚି ରହିଥିବା ଅଂଚଳକୁ ଘେରି ରହିଥିଲେ ୩୪ ରାଷ୍ଟ୍ରୀୟ ରାଇଫଲର ଯବାନ, ଏସଓଜି ଏବଂ ସିଆରପିଏଫ ଯବାନ । ସୁରକ୍ଷା କର୍ମୀଙ୍କୁ ଦେଖିବା ପରେ ଗୁଳି କରିଥିଲେ ଆତଙ୍କବାଦୀ । ଏହାର ଜବାବରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ସିପାହୀ ରାମବୀର ସହିଦ ହୋଇଥିବାବେଳେ ଅନ୍ୟଜଣେ ସିପାହୀ ଦୀପକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।