ତାଲିବାନ ବିରୋଧରେ ମୋଦୀଙ୍କ ପ୍ରଥମ ବୟାନ । ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କହିଲେ ‘ଆତଙ୍କର ସାମ୍ରାଜ୍ୟ କ୍ଷଣସ୍ଥାୟୀ’ ।

693

କନକ ବ୍ୟୁରୋ : ଆଫଗାନିସ୍ତାନକୁ କବଜା କରିଛି ତାଲିବାନ । ବିଶ୍ୱକୁ ଦେଉଛି ଶାନ୍ତିର ବାର୍ତା, କିନ୍ତୁ ଦେଶରେ ଚଳାଉଛି ଆତଙ୍କ ରାଜ । ହେଲେ ଆତଙ୍କର ସାମ୍ରାଜ୍ୟ ବେଶୀ ଦିନ ତିଷ୍ଟିକି ରହିପାରେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣରେ କିଛି ଏପରି ମନ୍ତବ୍ୟ ଦେଇଛନ୍ତି । ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ତାଲିବାନ ଉଦ୍ଦେଶ୍ୟରେ କିଛି ଏପରି ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ତାଲିବାନ ରାଜୁତି, ମୋଦିଙ୍କ ପ୍ରତିକ୍ରିୟା । ‘ଆତଙ୍କର ସାମ୍ରାଜ୍ୟ କ୍ଷଣସ୍ଥାୟୀ’ । ଆତଙ୍କ ଖେଳାଇ ସାମ୍ରାଜ୍ୟ ଗଠନ କରିବା ଲୋକେ ଅଳ୍ପ ସମୟ ପାଇଁ ରାଜୁତି କରିପାରିବେ, ହେଲେ ସବୁଦିନ ପାଇଁ ମାନବିକତାକୁ ଚାପିପାରିବେ ନାହିଁ । ଶୁକ୍ରବାର ଗୁଜରାଟ ସୋମନାଥ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ କିଛି ଏପରି ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଫଗାନିସ୍ତାନରେ ତାଲିବାନ ରାଜୁତିକୁ ନେଇ ପରୋକ୍ଷରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଗୁଜରାଟ ସୋମନାଥ ମନ୍ଦିରର ନବୀକରଣ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରର ମହାନତା ବିଷୟରେ ବଖାଣିଛନ୍ତି । ମୋଦି କହିଛନ୍ତି ସୋମନାଥ ମନ୍ଦିରକୁ ଅନେକ ଥର ଭଙ୍ଗାଯାଇଛି । ଭଗବାନଙ୍କ ପ୍ରତିମାଙ୍କୁ ଭାଙ୍ଗି ଦିଆଯାଇଛି । ଏପରିକି ମନ୍ଦିରର ଅସ୍ତିତ୍ୱକୁ ପୋଛି ଦେବାକୁ ମଧ୍ୟ ପ୍ରୟାସ କରାଯାଇଛି । ହେଲେ ଏହି ମନ୍ଦିର ନିଜ ଗରିମା ସହ ପୁନଃ ଛିଡାହୋଇଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଦେଶର ଟୁରିଜିମ୍ ବ୍ୟବସ୍ଥାର ମଧ୍ୟ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ୨୦୧୩ ମସିହାରେ ପର୍ଯ୍ୟଟନ ସୂଚୀ ତାଲିକାରେ ଭାରତ ୬୫ତମ ସ୍ଥାନରେ ଥିବାବେଳେ, ଏବେ ଏହା ୩୪ତମ ସ୍ଥାନକୁ ଆସିଛି । ଯାହା ଦେଶରେ ପର୍ଯ୍ୟଟନର ବିକାଶକୁ ବର୍ଣ୍ଣନା କରିଛି ।