ପଞ୍ଜାବ ପରେ ଛତିଶଗଡ଼ କଂଗ୍ରେସରେ କନ୍ଦଳ : ଦିଲ୍ଲୀରେ ଡେରା ପକାଇଛନ୍ତି ବାଘେଲଙ୍କ ସମର୍ଥକ ବିଧାୟକ

ନେତୃତ୍ୱ ପରିବର୍ତ୍ତନ ନେଇ ଟିଏସ ସିଂ ଦେଓ ଓ ବାଘେଲଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା

118

କନକ ବ୍ୟୁରୋ : ପଞ୍ଜାବ ପରେ ଛତିଶଗଡ କଂଗ୍ରେସ କଳି ଦିଲ୍ଲୀରେ ପହଞ୍ଚିଛି । ନେତୃତ୍ୱ ପରିବର୍ତନ ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି ଏସ ସିଂ ଦେଓଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଏହାରି ଭିତରେ ବାଘେଲଙ୍କ ସମର୍ଥକ ବିଧାୟକ ଦିଲ୍ଲୀରେ ପହଞ୍ଚିବା ଦଳୀୟ କନ୍ଦଳକୁ ତୀବ୍ର କରିଛି । ଗତକାଲି ହାଇକମାଣ୍ଡଙ୍କୁ ବାଘେଲ ସମର୍ଥକ ଭେଟିଥିବା ସୂଚନା ରହିଛି । ଏହି ସମୟରେ ବାଘେଲଙ୍କ ସମର୍ଥନରେ ଏହି ବିଧାୟକ ମତ ରଖିଛନ୍ତି ବୋଲି ସୂଚନା ରହିଛି । ୨୦୧୮ରେ କଂଗ୍ରେସ ନିର୍ବାଚନରେ ବିଜୟୀ ହୋଇଥିଲା ।

ଏହାପରେ ବାଘେଲ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏବେ ବାଘେଲଙ୍କର ଅଢେଇ ବର୍ଷ ପୂରଣ ହୋଇସାରିଛି । ତେଣୁ ସେତେବେଳର ନିଷ୍ପତ୍ତି ଅନୁଯାୟୀ ଏବେର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି ଏସ ସିଂ ଦେଓ ମୁଖ୍ୟମନ୍ତ୍ରୀ ହେବା କଥା । କିନ୍ତୁ ବାଘେଲଙ୍କ ଲୋକପ୍ରିୟତା ଏବଂ ଦଳରେ ବଢୁଥିବା ଦବଦବା ପାଇଁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ ହାଇକମାଣ୍ଡ ନିଷ୍ପତ୍ତି ନେଇ ପାରୁନାହାନ୍ତି । ଅନ୍ୟପଟେ ଟିଏସ ସିଂ ଦେଓଙ୍କ ସମର୍ଥକ ନେତୃତ୍ୱ ପରିବର୍ତ୍ତନ ଦାବି କରି ବିଭିନ୍ନ ସମୟରେ ୧୦ ଜନପଥ ଆସୁୁଛନ୍ତି । ଛତିଶଗଡ କଂଗ୍ରେସରେ ଏହି ଦୁଇ ନେତାଙ୍କର ବଡ ପ୍ରଭାବ ରହିଛି । ହେଲେ ଉଭୟ ପରସ୍ପରର ପ୍ରତିଦ୍ୱନ୍ଦୀ ।