ରାମାୟଣ ଏବଂ ମହାଭାରତ ପରେ ବ୍ୟୋମକେଶ ବକ୍ସି ଏବଂ ସର୍କସ: ଆଜିଠୁ ‘ପ୍ରସାରଣ ହେବ ୩୦ ବର୍ଷ ତଳର ଲୋକପ୍ରିୟ ଧାରାବାହିକ

ଲକଡାଉନ୍ ବେଳେ ଜନତାଙ୍କ ଡିମାଣ୍ଡରେ ଦୂରଦର୍ଶନର ଭେଟି

1,760

କନକ ବ୍ୟୁରୋ: ରାମାୟଣ ଓ ମହାଭାରତ ପରେ ଟିଭି ପରଦାକୁ ଫେରୁଛି ଲୋକପ୍ରିୟ ଧାରାବାହିକ ବ୍ୟୋମକେଶ ବକ୍ସି ଏବଂ ସର୍କସ । ଆଜିଠୁ ଦୂରଦର୍ଶନରେ ଏହି ଦୁଇଟି ସିରିଏଲ ପ୍ରସାରଣ ହେବ । ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରହିବା ସହ ବ୍ୟୋମକେଶ ବକ୍ସି ଏବଂ ସର୍କସର ମଜା ଉଠାନ୍ତୁ ବୋଲି ଟ୍ୱିଟ୍ କରି କୁହାଯାଇଛି । ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଥିବା ବ୍ୟୋମକେଶ ବକ୍ସି ଏକ ଡିଟେକ୍ଟିଭ୍ ଥ୍ରୀଲର ସିରିଏଲ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ରଜିତ କପୁର ।

ପ୍ରସିଦ୍ଧ ବେଙ୍ଗଲୀ ଲେଖକ ଶ୍ରଦିନ୍ଦୁ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ପୁସ୍ତକ ଅନୁକରଣରେ ବ୍ୟୋମକେଶ ବକ୍ସି ତିଆରି ହୋଇଥିଲା । ଯାହା ୧୯୯୩ରୁ ୧୯୯୭ ଯାଏ ୪ ବର୍ଷ ଧରି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ଆଜିଠାରୁ ଦୂରଦର୍ଶନରେ ଦିନ ୧୧ଟାରେ ବ୍ୟୋମକେଶ ବକ୍ସିର ପ୍ରସାରଣ ହେବ ।

ସେହିପରି ଅଜିଜ ମିର୍ଜା ଏବଂ କୁନ୍ଦନ ଶାହାଙ୍କ ଦ୍ୱାରା ପ୍ରସ୍ତୁତ ସର୍କସ ହେଉଛି ବଲିଉଡ୍ ବାଦଶାହ ଶାହରୁଖ ଖାନଙ୍କ ପ୍ରଥମ ଟିଭି ଧାରାବାହିକ । ୧୯୮୯ରେ ପ୍ରସ୍ତୁତ ଏହି ସିରିଏଲ ମାଧ୍ୟମରେ ଶାହାରୁଖ ବଲିଉଡରେ ଏଂଟ୍ରି କରିଥିଲେ । ଡିଡି ନାସନାଲରେ ପ୍ରତି ରବିବାର ରାତି ୮ଟାରେ ସର୍କସ ସିରିଏଲ ପ୍ରସାରିତ ହେବ । ଦେଶରେ ୨୧ ଦିନିଆ ଲକଡାଉନ୍ ସ୍ଥିତି ବେଳେ ଘରେ ରହି ଏହି ଦୁଇଟି ସିରିଏଲ ମାଧ୍ୟମରେ ଦେଶବାସୀ ୩୦ ବର୍ଷ ତଳର ସ୍ମୃତିକୁ ପୁଣି ତାଜା କରିପାରିବେ । ଏହାପୂର୍ବରୁ ଦୂରଦର୍ଶନରେ ରାମାୟଣ ଏବଂ ମହାଭାରତ ସିରିଏଲର ପ୍ରସାରଣ ଆରମ୍ଭ ହୋଇଛି ।