କନକ ବ୍ୟୁରୋ : ନିଦ ହଜାଇଛି ନୂଆ ଟ୍ରାଫିକ୍ ନିୟମ । କାର୍ ହେଉ କି ବାଇକ୍, ଘରୁ ଗାଡି କାଢିଲେ ଛାତିରେ ଛନକା ପଶୁଛି । କାଳେ କେଉଁଠି ମାଡିବସିବେ ଟ୍ରାଫିକ୍ ପୋଲିସ, ଆଉ ଆପଣଙ୍କ ଉପରେ ଲଗାଇବେ ଫାଇନ୍ ଉପରେ ଫାଇନ୍ । ତାକୁ ନେଇ ଏବେ ଚାଳକଙ୍କ ଛାତିରେ ଛନକା ପଶିଛି । କାରଣ ଚାତକ ପରି ଚାହିଁବସିଛନ୍ତି ଟ୍ରାଫିକ୍ ପୋଲିସ । ଟ୍ରାଫିକ୍ ନିୟମ ଟିକେ ଉଲ୍ଲଂଘନ କଲେ, ଲଗାଉଛନ୍ତି ମୋଟା ଅଙ୍କର ଜୋରିମାନା ।

Advertisment

ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ, ସତେ ଯେମିତି ଗାଡି ଚାଳକମାନଙ୍କୁ ସଚେତନତାର ସ୍ୱପ୍ନ ଆସୁଛି । ସେଥିପାଇଁ ତ ଟ୍ରାଫିକ୍ ନିୟମ ମଧ୍ୟରୁ ପ୍ରଦୂଷଣ ସାର୍ଟିଫିକେଟ୍ ନିୟମକୁ କଡାକଡି କରାଯାଇଥିବା ବେଳେ ପ୍ରଦୂଷଣ ସାର୍ଟିଫିକେଟ୍ ଦେଉଥିବା ଗାଡି ନିକଟରେ ଲାଗୁଛି ଲମ୍ବା ଲାଇନ୍ ।

ପୂର୍ବରୁ ଯେଉଁ ଗାଡିକୁ କେହି ଆଡ ଆଖିରେ ଚାହୁଁନଥିଲେ, ଏପରିକି ଅନେକଙ୍କୁ ଏହି ଗାଡି ନଜର ବି ଆସୁନଥିଲା, ଏବେ ସେହି ଗାଡି ନିକଟରେ ଲାଗୁଛି ପ୍ରବଳ ଭିଡ । ସକାଳ ନହେଉଣୁ, ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଲାଗୁଛି ଶହ ଶହ ଭିଡ । ପ୍ରଦୂଷଣ ସାର୍ଟିଫିକେଟ୍ ଦେଉଥିବା ଗାଡି ଆସିନଥିବା ବେଳେ ମଧ୍ୟ ଭୋର୍ ୪ଟାରୁ ଲମ୍ବା ଲାଇନରେ ଛିଡା ହୋଇରହୁଛନ୍ତି ଗାଡି ଚାଳକ । କାରଣ ଗାଡି ଚାଳକଙ୍କୁ ଅଡୁଆ କରୁଛି ନୂଆ ଟ୍ରାଫିକ୍ ନିୟମ ।

ନୂଆ ନିୟମ ଅନୁଯାୟୀ, ଯଦି ଆପଣଙ୍କ ନିକଟରେ ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ, ତେବେ ଆପଣଙ୍କୁ ଜୋରିମାନା ବାବଦକୁ ଦେବାକୁ ହେବ ୧୦ ହଜାର ଟଙ୍କା । ଆଉ ଏଥିପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ ଦେଉଥିବା ଗାଡି ନିକଟରେ ବର୍ଷର ଅନ୍ୟ ସମୟରେ ଫାଙ୍କା ରହୁଥିବା ବେଳେ ଏବେ ଜମୁଛି ପ୍ରବଳ ଗହଳି । ସେପଟେ ଲୋକ ମାନଙ୍କୁ ସଚେତନ କରାଇବା ଏବଂ ବହୁମୂଲ୍ୟ ଜୀବନ ବଂଚାଇବା ପାଇଁ ସରକାର ଏଭଳି କଠୋର ଆଭିମୁଖ୍ୟ ଆପଣାଇଥିବା ପୋଲିସ କମିଶନର କହିଛନ୍ତି ।

ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଥିବା ବେଳେ, ଗତ କିଛି ଦିନ ତଳେ, ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଭାରତରେ ପ୍ରଦୂଷଣ ଯୋଗୁଁ ୧.୨ ନିୟୁତ ଲୋକଙ୍କ ଜୀବନ ଯାଇଛି । ଏପରିକି ଭାରତର ପ୍ରତି ୧୦ ହଜାରରେ ୮.୫ ପ୍ରତିଶତ ଶିଶୁ ୫ ବର୍ଷ ପୁରିବା ପୂର୍ବରୁ ପ୍ରାଣ ହରାଉଛନ୍ତି । ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ତତ୍ପରତା ଦେଖାଇବା ସହ ନୂଆ ଟ୍ରାଫିକ ନିୟମରେ ଏଦିଗରେ ଗୁରୁତ୍ୱ ଦେଇଛନ୍ତି । ଆଉ ନିୟମ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ, ତେବେ ଜୋରିମାନା ବାବଦରେ ଆପଣଙ୍କୁ ୧୦ ହଜାର ଟଙ୍କା ଦେବାକୁ ହେବ ।