କନକ ବ୍ୟୁରୋ : ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସଙ୍କ ମୃତ୍ୟୁ ଘଟିଛି । ଏହାପରେ ସରକାରଙ୍କ ଆଗରେ ଅନେକ ନୂଆ ଚ୍ୟାଲେଞ୍ଜ ଉଭା ହୋଇଛି । ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନ ପାଇଁ ଦେଶର ସୁରକ୍ଷା ଏବେ ବଡ ଚ୍ୟାଲେଞ୍ଜ ରହିଛି । ତେଣୁ ଦୀର୍ଘ ସମୟ ଧରି ଏହି ପଦ ଖାଲି ରହିବା ଠିକ୍ ନୁହେଁ । ପୂର୍ବରୁ ଯଦିଓ ସେନାର ଏହି ପଦ ନଥିଲା କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ପରେ ତିନି ସେନାର ମୁଖିଆ ରହିବା ଆବଶ୍ୟକ ବୋଲି ହୃଦବୋଧ କରିଥିଲ। । ଆଉ ଏହାପରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ପଦ ତିଆରି ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ବିପିନ ରାୱତଙ୍କ ଉତରାଧିକାରୀ ଘୋଷଣା ହେବା ସହିତ ସେନା ପାଇଁ ସେକ୍ସନ ପ୍ଲାନ ଆସିବ ବୋଲି ସୂଚନା ରହିଛି । ଯାହାକି ଖୁବଶୀଘ୍ର ପୂରଣ ହେବ । ତେବେ ନୂଆ ସିଡିଏସ କିଏ ହେବ ସେ ନେଇ ବିଚାର ବିମର୍ଷ ଚାଲିଛି । ବିପିନ ରାୱତଙ୍କ ମୃତ୍ୟୁ ପରେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ବରିଷ୍ଠ ଅଧିକାରୀ ରହିଛନ୍ତି । ଯିଏକି ଦେଶରେ ବରିଷ୍ଠ ସେନା ଅଧିକାରୀ । ଏହାପରେ ବାୟୁସେନା ପ୍ରମୁଖ ଏୟାର ଚିଫ୍ ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ଏବଂ ନେଭି ମୁଖ୍ୟ ଏଡମିରଲ ଆର ହରି କୁମାର ରହିଛନ୍ତି ।
କିନ୍ତୁ ସରକାର ଯଦି ବରିଷ୍ଠତାକୁ ଗୁରୁତ୍ୱ ଦେବେ ତାହେଲେ ମନୋଜ ମୁକୁନ୍ଦ ନରୱଣେ ନୂଆ ସିଡିଏସ ହେବାର ସମ୍ଭାବନା ଅଧିକ ରହିଛି । ଯଦି ଏହା ହୁଏ ତାହେଲେ ସେନାର ମୁଖିଆ ପଦ ଖାଲି ପଡିବ ।ଅନ୍ୟପଟେ ମନୋଜ ମୁକୁନ୍ଦ ନରୱଣେ ଆସନ୍ତା ବର୍ଷ ଏପ୍ରିଲରେ ଅବସର ନେବେ । ଯଦିଓ ସିଡିଏସ ପଦରେ ଯିଏ ରହିବେ ତାଙ୍କ ଅବଧି ବଢାଇବାକୁ ସରକାରଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି । କିନ୍ତୁ ସରକାର ଯଦି ବରିଷ୍ଠତାକୁ ଗୁରୁତ୍ୱ ନଦେଇ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ସିଡିଏସ ନିଯୁକ୍ତ କରିବାକୁ ଚାହିଁବେ ତାହେଲେ ଆଉ କୌଣସି ସେନା ଅଧିକାରୀଙ୍କ ଉପରେ ସରକାର ମୋହର ମାରି ପାରନ୍ତି ।
ତେବେ ଜେନେରାଲ ରାୱତଙ୍କ ମୃତ୍ୟୁ ପରେ ସେନା ବଳର ସେକ୍ସନ ଲାଇନ୍-ଅପ ଉପରେ ପ୍ରଭାବ ପଡିବ ବୋଲି ସୂଚନା ରହିଛି । ଗତକାଲି ସୁରକ୍ଷା ସଂପର୍କୀତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପିନ ରାୱତଙ୍କ ଦୁର୍ଘଟଣା ବାବଦରେ ଅବଗତ କରାଯାଇଥିଲା । ଏହି ବୈଠକରେ ପରବର୍ତୀ ସିଡିଏସ କିଏ ହେବେ ସେନେଇ ଆଲୋଚନା ହୋଇଥିବା ସୂଚନା ରହିଛି । ଆଗାମୀ ୧୫ ଦିନ ମଧ୍ୟରେ ଏ ନେଇ ନିଷ୍ପତି ନିଆଯିବ ବୋଲି ସୂଚନା ରହିଛି ।