କନକ ବ୍ୟୁରୋ: ବିବାଦ ବଢୁଛି, ହେଲେ ଚାହିଦା କମୁନି । ପରଦାକୁ ଆସିବା ପରେ ଆଦିପୁରୁଷ ସିନେମାକୁ ନେଇ ଯେତିକି ହଙ୍ଗାମା ହେଲାଣି, ବକ୍ସଅଫିସରେ ସେହିପରି ବ୍ୟବସାୟ ବି କରିଚାଲିଛି ଏହି ଫିଲ୍ମଟି । ମାତ୍ର ୩ ଦିନରେ ଫିଲ୍ମଟି ୱାଲର୍ଡୱାଇଡ୍ ୩୪୦ କୋଟି ଟଙ୍କାର ବ୍ୟବସାୟ କରିଛି ।

Advertisment
  • ବିବାଦ ପରେ ବି କମିନି କ୍ରେଜ୍
  • ବକ୍ସ ଅଫିସରେ ‘ଆଦିପୁରୁଷ’ର ଧମାଲ

ଫିଲ୍ମ ଆଦିପୁରୁଷକୁ ନେଇ ବିବାଦ ଜାରି ରହିଥିବା ବେଳେ ବକ୍ସ ଅଫିସରେ ରେକର୍ଡ ବ୍ୟବସାୟ କରିଚାଲିଛି ଫିଲ୍ମ । ତିନି ଦିନ ହେଲା ଫିଲ୍ମ ହଲରେ ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ବେଶ୍ ଭିଡ଼ ଜମୁଛି । ଏପରିକି କିଛି ଦର୍ଶକ ଟିକେଟ ପାଇବା ପାଇଁ ଏବେ ଅପେକ୍ଷା କରି ରହିଛନ୍ତି । ପ୍ରଭାସ ଓ କ୍ରିତି ସାନନଙ୍କ ଏହି ଫିଲ୍ମ ଏବେ ଥିଏଟରରେ ହାଉସଫୁଲ ଚାଲିଛି । ଏପରିକି ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ରେକର୍ଡ ଭାଙ୍ଗି ଦେଇଛି ଆଦିପୁରୁଷ । ମାତ୍ର ୩ ଦିନରେ ଫିଲ୍ମଟି ୱାଲର୍ଡ ୱାଇଡ୍ ୩୪୦ କୋଟି ଟଙ୍କାର ବ୍ୟବସାୟ କରିଛି । ତୃତୀୟ ଦିନରେ ଫିଲ୍ମ ୬୫ କୋଟି ବ୍ୟବସାୟ କରିଛି । ଭୁବନେଶ୍ୱରର ବିଭିନ୍ନ ଫିଲ୍ମ ହଲରେ ଆଦିପୁରୁଷ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଖୁବ୍ ଭିଡ଼ ଜମୁଛି ।

ସେପଟେ ଫିଲ୍ମର ଡାଏଲଗକୁ ନେଇ ବିବାଦ ଜାରି ରହିଛିି । ରାମୟଣ ପରି ଏକ ବଳିଷ୍ଠ ପୌରାଣିକ ପୃଷ୍ଠଭୂମି ଉପରେ ନିର୍ମିତ ଫିଲ୍ମରେ ଯେପରି ସଂଳାପ ବ୍ୟବହାର କରାଯାଇଛି, ତାକୁ ଦର୍ଶକ ଗ୍ରହଣ କରିପାରି ନାହାନ୍ତି । ସାଧାରଣ ଲୋକ କଥା ହେଲା ଭଳି ଏଥିରେ ଶବ୍ଦ ବ୍ୟବହାର କରାଯାଇଛି । ବିଶେଷକରି ହନୁମାନ ଓ ରାମଙ୍କ ମୁହଁରେ ଯେଉଁ ସବୁ ସଂଳାପ କୁହାଯାଉଛି, ଦର୍ଶକଙ୍କୁ ଅଡ଼ୁଆ ଲାଗୁଛି । ଏହାକୁ ନେଇ ଜୋରଦାର ବିରୋଧ ପରେ ଡାଏଲଗ ବଦଳାଇବାକୁ ନିଷ୍ପତି ନେଇଛନ୍ତି ଫିଲ୍ମ ନିର୍ମାତା ।

ଅନ୍ୟପକ୍ଷରେ ଫିଲ୍ମର ସଂଳାପକାର ମନୋଜ ମୁନ୍ତସିର ସୁରକ୍ଷା ମାଗିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି । ପୋଲିସ୍ ଏହି ମାମଲାର ତଦନ୍ତ କରୁଛି ।