ବିବାଦ ମଧ୍ୟରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ଆସୁଛନ୍ତି ମୁମ୍ବାଇ । ମୁମ୍ବାଇସ୍ଥିତ କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର :ବିରୋଧରେ ମୁମ୍ବାଇ ହାଇକୋର୍ଟ ଗଲେ ଅଭିନେତ୍ରୀ

435

କନକ ବ୍ୟୁରୋ : ଆଜି ମୁମ୍ୱାଇ ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ମୁମ୍ୱାଇରେ ପହଁଚିବା ଆଗରୁ ତାଙ୍କ ମୁମ୍ୱାଇ ସ୍ଥିତ ଅଫିସର ବେଆଇନ୍ ନିର୍ମାଣ ଉପରେ ଚାଲିଛି ବିଏମସି ବୁଲଡୋଜର । ବେଆଇନ୍ ନିର୍ମାଣ ଅଭିଯୋଗ ନେଇ ନୋଟିସ୍ କରିବା ପରେ ପରେ ଏହାକୁ ଭାଙ୍ଗି ଦେଇଛି ବିଏମସି ଟିମ୍ । କଙ୍ଗନା ରଣାୱତ ଓକିଲଙ୍କ ଜରିଆରେ କରିଥିବା ଆବେଦନକୁ ମଧ୍ୟ ଖାରଜ କରିଦିଆଯାଇଥିବା ଆଗୁଆ ସୂଚନା ଦେଇଥିଲା ବିଏମସି । କଙ୍ଗନାଙ୍କୁ କରାଯାଇଥିବା ନୋଟିସର ସେ କୌଣସି ଉତର ରଖିନଥିବା ଅଭିଯୋଗ ଆଣିବା ସହ ବେଆଇନ୍ ନିର୍ମାଣକୁ ଭାଙ୍ଗିଦିଆଯିବ ବୋଲି ସକାଳେ ସ୍ପଷ୍ଟ କରିବା ପରେ ଅପରାହ୍ନରେ କଙ୍ଗନା ରଣାୱତଙ୍କ ଅଫିସର ବେଆଇନ ନିର୍ମାଣରେ ଚାଲିଛି ବୁଲଡୋଜର ।

ସେପଟେ ଏହାର ପ୍ରତିବାଦରେ ମୁମ୍ୱାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କଙ୍ଗନା । ମୁମ୍ୱାଇ ଆସୁଥିବା କଙ୍ଗନା ଏହି ଘଟଣାକୁ ନେଇ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟୁଇଟ୍ କରି କହିଛନ୍ତି ଏହା ଜରିଆରେ ତାଙ୍କର ଶତ୍ରୁ ବାରମ୍ୱାର ପ୍ରମାଣ ଦେଉଛନ୍ତି ମୁମ୍ୱାଇ ହେଉଛି ପିଓକେ । ଏହା ସହିତ ସେ ବିଏମସି ଟିମକୁ ବାବର ସେନା ବୋଲି କହି କଡା ଆକ୍ଷେପ କରିଛନ୍ତି । ଏହା ସହିତ ସ୍ପଷ୍ପ କରିଛନ୍ତି ଏହି ମନ୍ଦିର ପୁଣି ଥରେ ତିଆରି ହେବ । ବିଏମସିର ଏପରି କାମ ପରେ ସେ ଅଧିକରୁ ଅଧିକ ଶକ୍ତ ହୋଇ ଲଢେଇ କରିବେ । ମହାରାଷ୍ଟ୍ରର ଗୌରବ ରକ୍ଷା ଦିଗରେ କାମ କରିଚାଲିବେ । ବିଏମସି ଅଧିକାରୀଙ୍କ ଅଭିଯୋଗ ଅନୁସାରେ କଙ୍ଗନାଙ୍କ ଅଫିସର ଗ୍ରାଉଣ୍ଡ ଫ୍ଲୋର ଏବଂ ପ୍ରଥମ ଫ୍ଲୋରରେ ଅନେକ ଅବୈଧ ନିର୍ମାଣ କରାଯାଇଥିଲା ।

ବିନା ଅନୁମତିରେ ନିର୍ମାଣ କରାଯାଇଥିବାରୁ ଏହାକୁ ଭାଙ୍ଗି ଦିଆଯାଇଛି । କଙ୍ଗନାଙ୍କ କୋଭିଡ୍ ଟେଷ୍ଟର ଦ୍ୱିତୀୟ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି କଙ୍ଗନା ହିମାଚଳରୁ ଆସୁଛନ୍ତି ମୁମ୍ୱାଇ । ପୂର୍ବରୁ କଙ୍ଗନା ମୁମ୍ୱାଇକୁ ପିଓକେ ଏବଂ ମୁମ୍ୱାଇ ପୋଲିସକୁ ତାଲିବାନ୍ ସହିତ ତୁଳନା କରିବା ପରେ ତାଙ୍କୁ କଟାକ୍ଷ କରିଥିଲେ ଶିବସେନା ସାଂସଦ ସଂଜୟ ରାଉତ । ଏହା ପରେ କଙ୍ଗନା ସୁରକ୍ଷା ମାଗିବା ପରେ ତାଙ୍କୁ ୱାଇ କାଟାଗୋରୀ ସିକୁରିଟି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ବର୍ତମାନ କଙ୍ଗନାଙ୍କ ମୁମ୍ୱାଇ ଗସ୍ତ ସମୟରେ ବିରୋଧ ହେବାର ଆଶଙ୍କା ରହିଛି ।