ଆଜି ଶ୍ରୀନଗର ଗସ୍ତରେ ଯିବେ ଗୃହ ମନ୍ତ୍ରୀ ଅମିତ ଶାହା : ଧାରା ୩୭୦ ଉଚ୍ଛେଦ ପରେ ଶାହଙ୍କ ପ୍ରଥମ କାଶ୍ମୀର ଗସ୍ତ

ଆତଙ୍କବାଦୀ ଆକ୍ରମଣ ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା; ଅତିରିକ୍ତ ୨୫ କମ୍ପାନୀ ଯବାନ ସାମିଲ

124

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଶ୍ରୀନଗର ଗସ୍ତ କରିବେ । ଧାରା ୩୭୦ ଉଚ୍ଛେଦ ପରେ ଶାହାଙ୍କର ଏହା ପ୍ରଥମ କାଶ୍ମୀର ଗସ୍ତ । କାଶ୍ମୀରରେ ନିକଟରେ ସାଧାରଣ ନାଗରିଙ୍କୁ ଟାର୍ଗେଟ୍‌ କରି ହତ୍ୟା ବଢ଼ିବା ପରେ ଶାହା ଶ୍ରୀନଗର ଗସ୍ତ କରୁଛନ୍ତି। ତେଣୁ ଶାହଙ୍କର ଏହି ଗସ୍ତକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ଶାହଙ୍କ ଗସ୍ତ ପାଇଁ ଜମ୍ମୁ କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କେବଳ ଶ୍ରୀନଗରରେ ୨୦-୨୫ ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ପ୍ରଥମ ଥର ପାଇଁ ଶ୍ରୀନଗର ସହରକୁ ଡ୍ରୋନ୍‌ ଗ୍ରିଡ୍‌ରେ ବିଭାଜନ କରାଯାଇଛି । ସିଆରପିଏଫ୍‌ ସାଉଥ୍‌ ରେଂଜ୍‌ର ଡିଆଇଜି ଜନ୍‌ ମାଥ୍ୟୁସ୍‌ କହିଛନ୍ତି, ଡାଲ୍‌ ଲେକ୍‌ ୧୫ କିମି ପରିବ୍ୟାପ୍ତ ଅଟେ ଏବଂ ୭ଟି ‌ସ୍ପିଡ୍‌ ବୋଟ୍‌ ଦ୍ବାରା ଏହାକୁ ସୁରକ୍ଷା ଦିଆଯିବ ।

ଜମ୍ମୁ କାଶ୍ମୀର ସହର ସାରା ସିସିଟିଭି ଲଗାଇବା ସହ ସାର୍ପସୁଟର ଓ ସ୍ନାଇପର ମୁତୟନ କରିଛନ୍ତି । ସାଧା ପୋଷାକରେ ଶ୍ରୀନଗରରେ ସୁରକ୍ଷାକର୍ମୀ ମୁତୟନ ହେବେ । ଶ୍ରୀନଗରରେ ୧୦ ସିଆରପିଏଫ୍‌ କମ୍ପାନି ଏବଂ ୧୫ ବିଏସଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି । କେନ୍ଦ୍ରୀୟ କାଶ୍ମୀର ଡିଆଇଜି ସୁଜିତ ସିଂହ କହିଛନ୍ତି, ଗୃହମନ୍ତ୍ରୀଙ୍କ ଗସ୍ତ ଅବସରରେ ସମଗ୍ର ଶ୍ରୀନଗର ସହରକୁ ଡ୍ରୋନ୍‌ ଗ୍ରିଡ୍‌ରେ ବିଭାଜନ କରାଯାଇଛି । ସୁରକ୍ଷା ସ୍ଥିତି ତଦାରଖ ପାଇଁ ସିଆରପିଏଫ୍‌ ଡିଜି କୁଲଦୀପ ସିଂହ ଏବେ କାଶ୍ମୀରରେ ଅଛନ୍ତି । ଆଇବି ନିର୍ଦ୍ଦେଶକ ମଧ୍ୟ ଆଜି ଶ୍ରୀନଗର ଯାଇଛନ୍ତି ।

ସେହିପରି ସମସ୍ତ ଶୀର୍ଷ ସିଏପିଏଫ୍‌ ଡିଜି, ଏନ୍‌ଏସଜି-ସିଆଇଏସଏଫ୍‌, ବିଏସଏଫ୍‌ ଏବଂ ସେନାର ଶୀର୍ଷ କମାଣ୍ଡର ଶ୍ରୀନଗରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ । ଇତି ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀ ନିପାତ ବଡ଼ ଧରଣର ଅପରେସନ ଜାରି ରହିଛି । ପୁଲିସ ୨୬ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ କାଶ୍ମୀର ବାହାରକୁ ପଠାଯିବା ବ୍ୟବସ୍ଥା ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ଏକ ଚାର୍ଟାଡ୍‌ ବିମାନ ଯୋଗେ ଆଗ୍ରା ନିଆଯିବ ବୋଲି ଜଣାପଡ଼ିଛି ।