ଝଡ ଭିତରେ ନୂଆ ଜୀବନ । ବାତ୍ୟା ବେଳେ ଦମକଳ ଗାଡି ଭିତରେ ଜନ୍ମନେଲା ଶିଶୁ କନ୍ୟା, କେନ୍ଦ୍ରାପଡା ଜଅଁରା ରାସ୍ତାରେ ଗଛ ପଡିଯିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ୨୨ଟି ଗଛ କାଟି ଦମକଳ ଗାଡିରେ ହସ୍ପିଟାଲ ନେଉଥିଲେ ଅଗ୍ନିଶମ କର୍ମଚାରୀ ।

343

କନକ ବ୍ୟୁରୋ: ବାତ୍ୟା ଅମ୍ପାନ ସମୟରେ ଅଗ୍ନିଶମ ଗାଡିରେ ଜନ୍ମ ହେଲା ଶିଶୁକନ୍ୟା । କେନ୍ଦ୍ରାପଡା ଜଅଁରାର ଜାନକୀ ସେଠୀଙ୍କୁ ପ୍ରସବ ବେଦନା ହୋଇଥିଲା । ଝଡ ବର୍ଷା ସମୟରେ ହସ୍ପିଟାଲ ନେବା ପାଇଁ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଜାନକୀଙ୍କ ସ୍ୱାମୀ । ହେଲେ ଆମ୍ବୁଲାନ୍ସ ଆସିପାରିନଥିଲା । କିଛି ଉପାୟ ନପାଇଁ ଦମକଳ ଗାଡିକୁ ଫୋନ ଲଗାଇ ଦେଲେ । ଶେଷରେ ରାସ୍ତାରେ ପଡିଥିବା ଗଛକୁ କାଟି ଦମକଳ ବାହିନୀ ଏହି ମହିଳାଙ୍କୁ ଉଦ୍ଧାର କରିଥିଲା । ଏବଂ ହସ୍ପିଟାଲ ଯିବା ରାସ୍ତାରେ ଗାଡି ଭିତରେ ଜନ୍ମ ହୋଇଥିଲା ଶିଶୁ କନ୍ୟା । ଏବେ ଉଭ୍ୟ ମା ଓ ଶିଶୁ କନ୍ୟା ସୁସ୍ଥ ଅଛନ୍ତି ।

ଯଦି ମଝିରେ ରାସ୍ତାରେ ଜନ୍ମ ହେବାର ଅଛି, ଯଦି ଜନ୍ମ ହେବା ବେଳେ ବର୍ଷା ତୋଫାନକୁ ସାମନା କରିବାର ଅଛି, ଯଦି ବିଧିର ବିଧାନ ଏହା ତେବେ ଏହାକୁ ରୋକିବ କିଏ । ଆଜି କିଛି ଏମିତି ଖବର ଆସିଛି କେନ୍ଦ୍ରାପଡାରୁ ।

ପୁରା କାହାଣୀ କିଛି ଏହିପରି । ବାତ୍ୟା ଅମ୍ଫାନର ପ୍ରଭାବରେ ଝଡ ତୋଫାନ ସାଙ୍ଗକୁ ଲାଗିରହିଥାଏ ବର୍ଷା । ଆଉ ଠିକ ଏତିକି ବେଳେ ଅସହ୍ୟ ପ୍ରସବ ବେଦନା ଭୋଗୁଥିଲେ ମହାକାଳପଡା ଜଅଁରର ଜାନକୀ ସେଠୀ । କଷ୍ଟ ସମ୍ଭାଳିବା ମୁସକିଲ ହୋଇପଡିଥିଲା । କିଛି ଉପାୟ ନପାଇ ଶେଷରେ ଅଗ୍ନିଶମ ଅଫିସକୁ ଫୋନ କରିଦେଲେ ଜାନକୀଙ୍କ ପରିବାରଲୋକେ । ହେଲେ ଗାଡି ତାଙ୍କ ପାଖରେ ପହଂଚି ପାରିନଥିଲା । କାରଣ ରାସ୍ତାରେ ପଡିଥିଲା ପାଖାପାଖି ୨୨ଟି ଗଛ ।

ଏପରି ସ୍ଥିତିରେ ଅଗ୍ନିଶମ ବିଭାଗର ଦୁଇଟି ଟିମ ଯୁଦ୍ଧକାଳୀନ ଭିତିରେ ଆରମ୍ଭ କରିଦେଇଥିଲେ କାମ । ଗୋଟିଏ ଟିମ ଗଛ ସଫା କରିଥିଲା । ଆଉ ଗୋଟିଏ ଟିମ ମହିଳାଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲା । ହେଲେ ପ୍ରସବ ବେଦନା ଅଧିକ ହେବାକୁ ଦମକଳ ଗାଡି ପାଲଟିଯାଇଥିଲା ଲେବର ରୁମ । ଏହାରି ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଜାନକୀ । ମହିଳା ଓ ନବଜାତକଂକୁ ସୁରକ୍ଷିତ ଭାବେ ମହାକାଳପଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।