ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ସମର୍ଥନ ଜଣାଇଲେ ୨୪ଟି ବିରୋଧୀ ଦଳ, ସାରା ଦେଶରେ ପଡିଲା ପ୍ରଭାବ ।

146

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଜୋରଦାର ହୋଇଛି ଚାଷୀ ଆନ୍ଦୋଳନ । ୧୩ ଦିନରେ ପହଁଚିଛି ଆନ୍ଦୋଳନ । ସେପଟେ ଚାଷୀ ସଂଗଠନର ଆହ୍ୱାନରେ ଆଜି ସାରା ଦେଶରେ ବନ୍ଦ ହୋଇଛି ଚକଅଖ । ଏହି ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି ୨୪ଟି ବିରୋଧୀ ଦଳ ।

ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ଦିଲ୍ଲୀରୁ କୋଲକାତା, ଉତ୍ତରପ୍ରଦେଶରୁ ବେଙ୍ଗାଲୁରୁ, ହାଇଦ୍ରାବାଦରୁ ବିହାର ସବୁଠି ପଡିଛି ଭାରତ ବନ୍ଦର ପ୍ରଭାବ । ରାଜଧାନୀର ବୁରାଡିି ଗ୍ରାଉଣ୍ଡରେ ଆନ୍ଦୋଳନରେ ବସିଛନ୍ତି କୃଷକ । ସେମାନଙ୍କ ସମର୍ଥନରେ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବାମ ଦଳ ବନ୍ଦ ପାଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ବ୍ୟାନର ପ୍ଲାକାର୍ଡ ଧରି ବାମ ଦଳର କର୍ମୀମାନେ ରାସ୍ତାକୁ ଆସି ପିକେଟିଂ କରି ଗାଡି ମୋଟର ଅଟକାଇବା ସହ ରାସ୍ତା ଅବରୋଧ କରିଛନ୍ତି ।

ମହାରାଷ୍ଟ୍ର ବି ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ବୁଲଧନାଠାରେ କୃଷକ ସଂଗଠନର କର୍ମୀମାନେ ରେଳ ରୋକ କରିଛନ୍ତି । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛି ଶିବସେନା । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସଂଜୟ ରାଉତ କହିଛନ୍ତି ସରକାରଙ୍କ ପାଖରେ ଯଦି ଚାଷୀଙ୍କ ପାଇଁ ସହୃଦୟତା ଥାଆନ୍ତା ତେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଜେ ଚାଷୀଙ୍କ ନିକଟକୁ ଯାଇ ଆଲୋଚନା କରିଥାନ୍ତେ ।

ପଶ୍ଚିମବଙ୍ଗର କୋଲକାତା, ସିଲିଗୁଡି, ୨୪ ପ୍ରଗଣାରେ ବି ବନ୍ଦର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ବାମଦଳର କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରେଳ ରୋକ୍ କରିଛନ୍ତି । କୋଲକାତା ଠାରେ ରେଳରୋକ କରି ଟ୍ରାକ୍ ଉପରେ ବସି ରହିଥିଲେ ବାମଦଳର କର୍ମୀ । ଟୁଇଟ୍ କରି ଚାଷୀ ଆନ୍ଦୋଳନ ଓ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଧାରଣା ଦେଇଛି କଂଗ୍ରେସ । କର୍ଣ୍ଣାଟକ ବିଧାନସଭା ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । ଉତ୍ତରପ୍ରଦେଶରେ ଭାରତ ବନ୍ଦ ପାଳନ କରାଯାଉଛି । ସମାଜବାଦୀ ପାର୍ଟି ଚାଷୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ରେଳ ରୋକ କରାଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା ।