ସେବାୟତମାନଙ୍କୁ ୩ ସପ୍ତାହର ଡେଡଲାଇନ ! ଆମିକସ କ୍ୟୁରି କହିଲେ, ବନ୍ଦ ହେଉ ଦାନ ଦକ୍ଷିଣା

72

କନକ ବ୍ୟୁରୋ : ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଗସ୍ତ ପରେ ପୁରୀରେ ଭାଳେଣୀ ପଡିଯାଇଛି । ବିଶେଷ କରି ସେବାୟତମାନେ ଚିନ୍ତାରେ ପଡିଯାଇଛନ୍ତି । କାରଣ ଗୋପାଳ ସୁବ୍ରମଣ୍ୟମ କଡା ପଦକ୍ଷେପ ନେବାକୁ ଯାଉଥିବା ନେଇ ଯଥେଷ୍ଟ ସଂକେତ ମିଳିସାରିଛି । ଆଜି ଦିଲ୍ଲୀ ଫେରିବା ସମୟରେ ସୁବ୍ରମଣ୍ୟମ କହିଛନ୍ତି, ସୁପ୍ରିମକୋର୍ଟ ଯେଉଁ ମର୍ମରେ ସଂସ୍କାର ପାଇଁ ଆଦେଶ ଦେଇଛନ୍ତି, ତାହା କାର୍ଯ୍ୟକାରୀ କିଭଳି ହେଉଛି ସେନେଇ ତିନି ସପ୍ତାହର ମହଲତ ଦିଆଯାଇଛି । ଏହି ସମୟ ଭିତରେ ସୁପ୍ରିମକୋର୍ଟ ଚାହୁଁ ଥିବା ସଂସ୍କାର କେତେ ଦୂର ମନ୍ଦିରରେ କାର୍ଯ୍ୟକାରୀ କରାଯାଇପାରିବ, ତାହା ଦେଖିବା ପରେ ସେ ଚୂଡାନ୍ତ ରିପୋର୍ଟ ଦେବେ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ସେବାୟତମାନଙ୍କୁ ୩ ସପ୍ତାହର ମହଲତ ଦେଇଛନ୍ତି । ଜୁଲାଇ ୮ ତାରିଖରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତୀକାଳୀନ ରାୟରେ ଯେଉଁ ୧୨ଟି ପ୍ରସ୍ତାବ ଥିଲା ତାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ତିନିମାସର ମହଲତ ଦିଆଯାଇଛି । ଯାହାକୁ ନେଇ ସେବାୟତମାନଙ୍କ ଭିତରେ ଛନକା ପଶିଛି । କାରଣ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ହିଁ ପ୍ରାଥମିକ ବୋଲି କହିଛନ୍ତି ଗୋପାଳ ସୁବ୍ରମଣ୍ୟମ । ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଉଚିତ ବୋଲି ସେ ଇଙ୍ଗିତ କରିଛନ୍ତି ।

ପୁରୀ ଶ୍ରୀମନ୍ଦିରରେ ଦେଖାଦେଉଥିବା ବିଭିନ୍ନ ବିଶୃଙ୍ଖଳା ପାଇଁ ମୁଖ୍ୟତଃ ସେବାୟତମାନଙ୍କୁ ଦାୟୀ କରାଯାଇ ଆସୁଛି । ଦାନ ଟଙ୍କା ଓ ଦକ୍ଷିଣା ପ୍ରସଙ୍ଗରେ ଭକ୍ତଙ୍କ ସହ ସେବାୟତ ହାତାହାତି ଭଳି ଅଭିଯୋଗ ମଧ୍ୟ ହୋଇଛି । ତେଣୁ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାରକୁ ନେଇ ଆମିକସ କ୍ୟୁରି ରଖିଥିବା ମନ୍ତବ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ଏପରିକି ଶ୍ରୀମନ୍ଦିରରେ ସେବାୟତମାନଙ୍କ ପ୍ରଦର୍ଶନର ନିୟମିତ ବ୍ୟବଧାନରେ ସମୀକ୍ଷା କରିବାକୁ ଖୋଦ ସେବାୟତମାନେ ମଧ୍ୟ ରାଜି ଥିବା ସୂଚନା ଦେଇଛନ୍ତି ଆମିକସ କ୍ୟୁରି ।

ଭକ୍ତଙ୍କ ଦାନ ଟଙ୍କା ସେବାୟତମାନେ ନନେବା ଏପରିକି ଥାଳି, ଅନ୍ନଦାନ ଆଟିକା ଓ ଗରା ପ୍ରଥା ସଂପୂର୍ଣ୍ଣ ବନ୍ଦ କରିବା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କେତେକାଂଶରେ କାର୍ଯ୍ୟକାରୀ ହୋଇଛି । ତେବେ ବଂଶାନୁକ୍ରମିକ ସେବା ବ୍ୟବସ୍ଥା ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ସହମତି ଲାଗି ୨୧ ଦିନର ସମୟ ଦେଇଛନ୍ତି ଗୋପାଳ ସୁବ୍ରମଣ୍ୟମ । ଏହି ଅବଧି ଭିତରେ ସେ ଅଧିକ ତର୍ଜମା କରିବେ ଓ କିଛି ନୀତିଗତ ପ୍ରସ୍ତାବ ଦେବା ଅନୁମାନ କରାଯାଉଛି ।

ଶ୍ରୀମନ୍ଦିରରେ କେତେକ ପ୍ରଥା, ପରମ୍ପରା ପ୍ରାୟ ହଜାରେ ବର୍ଷର । ଏଥିପାଇଁ ନିର୍ଦ୍ଦିଷ୍ଟ ସେବାୟତଙ୍କର ଦାୟିତ୍ୱ ରହିଛି । ତେଣୁ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳା ବଜାୟ ରହିବ ସେହି ଦିଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପରାମର୍ଶ ଦେଇପାରନ୍ତି ଗୋପାଳ ସୁବ୍ରମଣ୍ୟମ । ପୁରୀରେ ଦୁଇ ଦିନର ରହଣୀ କାଳରେ ସମସ୍ତ ପକ୍ଷ ସହ ବିସ୍ତୃତ ଆଲୋଚନା କରିଛନ୍ତି ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ । ଏବଂ ତାଙ୍କ ଆଭିମୁଖ୍ୟରୁ ଯାହା ଅନୁମାନ କରାଯାଉଛି, କିଛି କଠୋର ସଂସ୍କାରମୂଳକ ପଦକ୍ଷେପ ନେଇ ପ୍ରସ୍ତାବ ଦେଇପାରନ୍ତି ଆମିକସ କ୍ୟୁରି ।